ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ଅନେକ ଦେଶ ଧର୍ମ ନାଁରେ ନିଜ ନିଜ ମଧ୍ୟରେ ସଂଘର୍ଷ କରୁଛନ୍ତି । ଆଉ କେଉଁଠି ଆସ୍ଥା ନାଁରେ ଆଭ୍ୟନ୍ତରୀଣ ସଂଘର୍ଷ ହେଉଛି । ମାତ୍ର ବିଶ୍ୱରେ ଏମିତି ଏକ ସମୁଦାୟର ଅଭ୍ୟୁଦୟ ଘଟିଛି ଯିଏ କୌଣସି ଧର୍ମରେ ଆସ୍ଥା ରଖନ୍ତି ନାହିଁ ଅର୍ଥାତ ସେମାନେ ନାସ୍ତିକ । ବିଶେଷ କରି ୟୁରୋପ, ଆମେରିକା, ଦକ୍ଷିଣ କୋରିଆ ଆଦି ଦେଶରେ ନିଜ ସଂପ୍ରଦାୟଠୁ ଦୂରେଇ ରହୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଏହି ଧରଣର ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏମିତି ଘଟଣା ଉପରେ ଗବେଷଣା କରୁଥିବା ପିଉ ରିସର୍ଚ୍ଚ ଅନୁସାରେ, ଇଟାଲୀ, ଜର୍ମାନୀ, ସ୍ପେନ, ସ୍ୱିଡେନ ପରି ଦେଶରେ ଜନ୍ମରୁ ପ୍ରାପ୍ତ ଧର୍ମକୁ ଛାଡୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ସର୍ଭେ ଅନୁସାରେ ଇଟାଲୀରେ ୨୮.୭ ପ୍ରତିଶତ ଲୋକ ଏମିତି ଯେଉଁମାନେ ନାସ୍ତିକ । ଏହି ଧରଣର ବ୍ୟକ୍ତି ନିଜ ପରିବାରରୁ ପ୍ରାପ୍ତ ଧର୍ମକୁ ତ୍ୟାଗ କରି ସାରିଛନ୍ତି ।
ଏହିପରି ଜର୍ମାନୀରେ ୧୯.୮ ପ୍ରତିଶତ, ସ୍ପେନରେ ୧୯.୬ ପ୍ରତିଶତ ଓ ସ୍ୱିଡେନରେ ୧୭.୭ ପ୍ରତିଶତ ଲୋକ ନିଜ ଧର୍ମ ତ୍ୟାଗ କରି ନିଜକୁ ନାସ୍ତିକ ଘୋଷଣା କରିଛନ୍ତି । ସେହିପରି ଚିଲିରେ ୧୫ ପ୍ରତିଶତ, ମେକ୍ସିକୋରେ ୧୩.୭ ପ୍ରତିଶତ ଏବଂ ନେଦରଲାଣ୍ଡରେ ୧୨.୬ ପ୍ରତିଶତ ଲୋକ ନିଜ ଜନ୍ମରୁ ପ୍ରାପ୍ତ ଧର୍ମ ଛାଡି ଦେଇଛନ୍ତି । ନିଜ ଧର୍ମ ଛାଡିଥିବା ଲୋକଙ୍କ ମଧ୍ୟରେ ୯୯ ପ୍ରତିଶତ ହେଉଛନ୍ତି ଖ୍ରୀଷ୍ଟ ଧର୍ମର । ୟୁକରେ ମଧ୍ୟ ନିଜ ଧର୍ମ ପ୍ରତି ଲୋକଙ୍କ ରୁଚି କମିବାରେ ଲାଗିଛି ଏବଂ ଏଠାରେ ୧୨ ପ୍ରତିଶତ ଲୋକ ନାସ୍ତିକ ହୋଇ ଗଲେଣି । ଏହିପରି ଜାପାନରେ ୧୦.୭ ପ୍ରତିଶତ, ଗ୍ରୀସରେ ୧୦.୨ ପ୍ରତିଶତ, କାନାଡାରେ ୯.୫ ପ୍ରତିଶତ ଲୋକ ନିଜ ଧର୍ମ ତ୍ୟାଗ କରିଛନ୍ତି । ସେମାନଙ୍କ କହିବା କଥା ସେମାନେ ଏବେ କୌଣସି ଧର୍ମ ପ୍ରତି ଆସ୍ଥା ରଖନ୍ତି ନାହିଁ ।
ଏବେ ପ୍ରଶ୍ନ ଉଠୁଛି ବ୍ରିଟେନଠୁ ନେଇ ଇଟାଲୀ ପର୍ଯ୍ୟନ୍ତ ନାସ୍ତିକ ହେଉଥିବା ଲୋକଙ୍କ ଏକ ବଡ ସଂଖ୍ୟା କେଉଁ ପନ୍ଥର ଏବଂ ଏଥିରେ କାହାକୁ ଅଧିକ କ୍ଷତି ଘଟୁଛି । ଏହାର ଉତ୍ତରରେ ପିଉ ରିସର୍ଚ୍ଚର ସର୍ଭେରେ କୁହାଯାଇଛି ଯେ, ସବୁଠୁ ଅଧିକ ଖ୍ରୀଷ୍ଟ ଧର୍ମ ସହ ଜଡିତ ଲୋକ ନିଜକୁ ନାସ୍ତିକ ଘୋଷଣା କରିବାରେ ଲାଗିଛନ୍ତି । ସର୍ଭେରେ କୁହାଯାଇଛି, ୨୮.୪ ପ୍ରତିଶତ ଖ୍ରୀଷ୍ଟ ଧର୍ମ ପରିତ୍ୟାଗ କରିଥିବା ବେଳେ ମାତ୍ର ଏକ ପ୍ରତି ନିଜର ଆସ୍ଥା ବଦଲାଇ ଖ୍ରୀଷ୍ଟ ପନ୍ଥ ଆପଣେଇଛନ୍ତି ।