ମୁୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୫୯ ରନରେ ହରାଇଛି । ଏହି ବିଜୟ ସହ ମୁମ୍ବାଇ ଚଳିତ ସଂସ୍କରଣର ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସୂର୍ଯ୍ୟକୁମାର ଯାଦବଙ୍କ ୭୩ ରନ ଏବଂ ଶେଷ ଦୁଇ ଓଭରର ବିସ୍ଫୋରକ ବ୍ୟାଟିଂ ବଳରେ ୫ ୱିକେଟ୍ ହରାଇ ୧୮୦ ରନ କରିଥିଲା । ଜବାବରେ ଦିଲ୍ଲୀ ପ୍ରତିପକ୍ଷ ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୨୧ ରନରେ ଅଲଆଉଟ୍ ହୋଇଛି ।
ଦିଲ୍ଲୀ କ୍ୟାପିଟାଲ୍ସ ୧୮୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଳେ ଦଳର ଆରମ୍ଭ ଖରାପ ରହିଥିଲା । ଦଳ ୨୭ ରନ ସ୍କୋରରେ ତିନି ଟପ୍ ଅର୍ଡର ବ୍ୟାଟରଙ୍କୁ ହରାଇଥିଲା । କେଏଲ ରାହୁଲ ଓପନିଂ କରି କେବଳ ୧୧ ରନ କରି ଆଉଟ୍ ହୋଇଥିଲେ । ଫାଫ ଡୁ ପ୍ଲେସିସ୍ ଓ ଅଭିଷେକ ପୋରେଲ ୬-୬ ରନ କରି ଦଳକୁ ନିରାଶ କରିଥିଲେ । ବିପରାଜ ନିଗମ ଓ ସମୀର ରିଜଭିଙ୍କ ମଧ୍ୟରେ ଭାଗିଦାରୀ ଆରମ୍ଭ ହେବା ବେଳକୁ ବିପରାଜ ୨୦ ରନ କରି ପାଭିଲିୟନ ଫେରିଥିଲେ । ୬୫ ରନରେ ଦିଲ୍ଲୀର ଅଧା ବ୍ୟାଟର ପାଭିଲିୟନ ଫେରିଥିଲେ ।
ଟ୍ରିଷ୍ଟନ ଷ୍ଟବ୍ସ ଓ ଆଶୁତୋଷ ଶର୍ମାଙ୍କ ପରି ଫିନିସର ମଧ୍ୟ ଫ୍ଲପ୍ ମାରିଥିଲେ । ସମୀର ରିଜଭି ଗୋଟିଏ ପଟେ ଇନିଂସ ସମ୍ଭାଳି ୩୯ ରନ କରିଥିଲେ । ହେଲେ ନିଜ ଦଳକୁ ଜିତାଇ ପାରି ନ ଥିଲେ ।ଦିଲ୍ଲୀ ଏକଦା ୫ ୱିକେଟ ହରାଇ ୧୦୩ ରନ କରିଥିଲା । ମାତ୍ର ପରବର୍ତ୍ତୀ ୧୮ ରନରେ ଦଳ ଶେଷ ୫ ୱିକେଟ ହରାଇ ଶୋଚନୀୟ ପରାଜୟ ଭୋଗିଛି । ଦିଲ୍ଲୀର ଅବସ୍ଥା ଏତେ ଶୋଚନୀୟ ଥିଲା ଯେ, ୧୧ରୁ ୭ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
ମୁମ୍ବାଇ ପକ୍ଷରୁ ମିଚେଲ୍ ସାଣ୍ଟନର ଓ ଯଶପ୍ରୀତ ବୁମରା ଦିଲ୍ଲୀ ଇନିଂସର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଗୋଟିଏ ପଟେ ସାଣ୍ଟନର ୪ ଓଭରରେ ମାତ୍ର ୧୧ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ । ବୁମରା ୩.୨ ଓଭରରେ ମାତ୍ର ୧୨ ରନ ଦେଇ ୩ଟି ୱିକେଟ ଅକ୍ତିକାର କରିଥିଲେ । ଏହା ବ୍ୟତୀତ ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ୱିଲ ଜ୍ୟାକ୍ସ ଓ କର୍ଣ୍ଣ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।