ଲକ୍ଷ୍ନୌ: ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହିତ ଲକ୍ଷ୍ନୌ ପ୍ଲେଅଫ୍ରୁ ବାଦ୍ ପଡିଛି । ମ୍ୟାଚ୍ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୫ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ୧୮.୨ତମ ଓଭରରେ ୬ ୱିକେଟ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ହାଇଦ୍ରବାଦ ପକ୍ଷରୁ ପାଇଁ ଅଭିଷେକ ଶର୍ମା ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏଲଏସଜିକୁ ମିଶାଇ ଚଳିତ ଆଇପିଏଲରେ ୫ଟି ଦଳ ପ୍ଲେ ଅଫ ଦୌଡରୁ ବାଦ୍ ପଡି ସାରିଛନ୍ତି ।
ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ୨୦୬ ରନ୍ର ଟାର୍ଗେଟ ମିଳିଥିଲା। ହାଇଦ୍ରାବାଦର ଆରମ୍ଭ ନୈରାଶ୍ୟଜନକ ଥିଲା । ଓପନର ଅଥର୍ବ ତାୱାଡେ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ। ଏହା ପରେ ଅଭିଷେକ ଶର୍ମା ଏବଂ ଇଶାନ କିଶନଙ୍କ ମଧ୍ୟରେ ୮୨ ରନର ଏକ ବଡ଼ ଭାଗୀଦାରି ହୋଇଥିଲା। ଏହି ସମୟରେ ଇଶାନ ୩୫ ରନ ସ୍କୋରରେ ଦିଗବେଶ ରାଠିଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ।
ସନରାଇଜର୍ସ ହାଇଦ୍ରାବାଦ ଆରମ୍ଭରୁ ଏମିତି ବିସ୍ଫୋରକ ବ୍ୟାଟିଂ କରିଥିଲା ଯେ ଦଳ ପ୍ରଥମ ୭ ଓଭରରେ ୯୮ ରନ କରିଥିଲା। ଅଭିଷେକ ଶର୍ମା ଚୌକା ଓ ଛକା ବର୍ଷା କରି ମାତ୍ର ୨୦ ବଲ ୫୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୪ଟି ଚୌକା ଏବଂ ୬ଟି ଛକା ସାମିଲ। ଏସଆରଏଚ ୧୦ ଓଭରରେ ୨ ୱିକେଟ୍ ହରାଇ ୧୨୦ ରନ୍ କରିଥିଲା। ଶେଷ ୬୦ ବଲ୍ରେ ଦଳକୁ ୮୬ ରନ୍ ଆବଶ୍ୟକ ଥିଲା।
ହେନରିଚ୍ କ୍ଲାସେନ୍ ଏବଂ କାମିନ୍ଦୁ ମେଣ୍ଡିସ୍ ୫୫ ରନର ଭାଗୀଦାରି କରି ଦଳର ବିଜୟ ପ୍ରାୟ ନିଶ୍ଚିତ କରିସାରିଥିଲେ। କ୍ଲାସେନ୍ ୨୮ ବଲ୍ରେ ୪୭ ରନ୍ କରିଥିଲେ । ଅନ୍ୟପକ୍ଷରେ ମେଣ୍ଡିସ୍ ୩୨ ରନ୍ କରି ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଶେଷରେ ନୀତିଶ କୁମାର ରେଡ୍ଡୀ ଗୋଟିଏ ରନ କରି ଦଳ ବିଜୟର ଔପଚାରିକତା ପୂରଣ କରିଥିଲେ ।
ଅଭିଷେକ ଶର୍ମା ନିଜ ନାମରେ କଲେ ବଡ ରେକର୍ଡ
ଅଭିଷେକ ଶର୍ମା ନିଜର ଆଇପିଏଲ କ୍ୟାରିୟରରେ ଚତୁର୍ଥ ଥର ପାଇଁ ୨୦ ବଲ୍ ରୁ କମ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହି କ୍ଷେତ୍ରରେ ସେ ନିକୋଲାସ ପୁରନଙ୍କ ସହ ସମକକ୍ଷ ହୋଇଛନ୍ତି । ପୂରନ ଆଇପିଏଲରେ ଚାରି ଥର ୨୦ ବଲ୍ ରୁ କମ୍ ବଲରେଅର୍ଦ୍ଧଶତକ ହାସଲ କରିଛନ୍ତି। ଅଭିଷେକଙ୍କ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ୧୬ ବଲରେ ହାସଲ କରିଥିଲେ । ଯାହାକୁ ସେ ୨୦୨୪ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କରିଥିଲେ। ଲକ୍ଷ୍ନୌ ପାଇଁ ମିଚେଲ ମାର୍ଶ ଏବଂ ନିକୋଲାସ ପୁରନ୍ ଯଥାକ୍ରମେ ୬୫ ରନ ଏବଂ ୪୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ, କିନ୍ତୁ ଅଭିଷେକ ଶର୍ମାଙ୍କ ଆଗରେ ଦୁଇ ବ୍ୟାଟରଙ୍କ ଅର୍ଦ୍ଧଶତକୀୟ ଇନିଂସ ଫିକା ପଡି ଯାଇଛି । ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଆଉ ଘରୋଇ ପଡିଆରେ ଏଲଏସଜି ପରାଜିତ ହୋଇ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି ।