ନୂଆଦିଲ୍ଲୀ: ଭାରତୀୟ ସିନିୟର କ୍ରିକେଟ୍ ଦଳ ଜୁନ୍ ମାସରେ ଇଂଲଣ୍ଡ ଗସ୍ତ କରିବ। ଏହା ସହିତ ଭାରତର ୧୯ ବର୍ଷରୁ କମ୍ ଦଳ ମଧ୍ୟ ଏହି ମାସରେ ଇଂଲଣ୍ଡ ଗସ୍ତ କରିବ। ଏଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ୨୦୨୫ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଆୟୁଷ ମହାତ୍ରେଙ୍କୁ ଦଳର ଅଧିନାୟକ କରାଯାଇଛି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ୧୪ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ସେ ୩୫ ବଲରେ ଶତକ ହାସଲ କରି କ୍ରିକେଟ୍ ଜଗତରେ ଚହଳ ପକାଇଥିଲେ । ଏହା ଆଇପିଏଲ ଇତିହାସରେ କୌଣସି ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଶତକ।
ଗୁରୁବାର ଜାରି ହୋଇଥିବା ଏକ ବିବୃତ୍ତିରେ ବିସିସିଆଇ କହିଛି, "ଜୁନିୟର କ୍ରିକେଟ୍ କମିଟି , ୨୦୨୫ ଜୁନ ୨୪ରୁ ଜୁଲାଇ ୨୩ ପର୍ୟ୍ୟନ୍ତ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତ ୧୯ ବର୍ଷରୁ କମ୍ ଦଳ ଚୟନ କରିଛି। ଏହି ଗସ୍ତରେ ଏକ ୫୦ ଓଭର ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଏହା ପରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଏବଂ ଇଂଲଣ୍ଡ ୧୯ ବର୍ଷରୁ କମ୍ ବିପକ୍ଷରେ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ଖେଳାଯିବ ।
ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ ଦଳ
ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶି, ବିହନ ମାଲହୋତ୍ରା, ମୌଲ୍ୟରାଜସିଂ ଚାଭଡା, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ (ଉପ-ଅଧିନାୟକ ତଥା ୱିକେଟ୍ କିପର), ହରବଂଶ ସିଂ (ୱିକେଟ୍ କିପର), ଆର.ଏସ୍ ଅମ୍ବରିସ, କନିଷ୍କ ଚୌାହନ, ଖିଲାନ୍ ପଟେଲ, ହେନିଲ ପଟେଲ , ଯୁଧାତୀତ ଗୁହା, ମହମ୍ମଦ ଏନାନ, ଆଦିତ୍ୟ ରାଣା, ଅନମୋଲଜିତ୍ ସିଂ।
ଷ୍ଟାଣ୍ଡବାଇ ଖେଳାଳି: ନମନ ପୁଷ୍ପକ, ଡି ଦୀପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଲଙ୍କୃତ ରାପୋଲ (ୱିକେଟ୍ କିପର)।