ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ପ୍ଲେ ଅଫ୍ ମ୍ୟାଚ୍ ପାଇଁ ଚାରୋଟି ଦଳ ସ୍ଥାନ ଅକ୍ତିଆର କରି ସାରିଛନ୍ତି । ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ଲେ ଅଫ୍ ଖେଳିବେ ।
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ପୂର୍ବରୁ ଆଇପିଏଲ୍ ଜିତି ସାରିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ପଞ୍ଜାବ କିଙ୍ଗ୍ସ ଏଥିରୁ ବଞ୍ଚିତ ରହିଛନ୍ତି । ଉଭୟ ଦଳ ଆଇପିଏଲ୍ ଆରମ୍ଭରୁ ଥିବା ସତ୍ୱେ ଗୋଟିଏ ସିଜିନ୍ ବିଜୟୀ ହୋଇ ନାହାଁନ୍ତି । ଆସନ୍ତା ମେ ୨୯ ତାରିଖରୁ ପ୍ଲେ ଅଫ୍ ଏବଂ ଜୁନ୍ ୩ରେ ଫାଇନାଲ୍ ମୁକାବିଲା ହେବ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଆଇପିଏଲ୍ ବାଧାପ୍ରାପ୍ତ ହେବା ପରେ କାର୍ଯ୍ୟସୂଚୀ ଏବଂ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ମେ ୨୫ରେ ହେବାକୁ ଥିବା ଫାଇନାଲ୍ ମୁକାବିଲା ଜୁନ୍ ୩ରେ ହେବ । ସେହିପରି କୋଲକାତା ଏବଂ ହାଇଦ୍ରାବାଦର କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇଛି ।
ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ (ମେ ୨୯) ଏବଂ ଏଲିମିନେଟର୍ ମ୍ୟାଚ୍ (ମେ ୩୦) ହାଇଦ୍ରାବାଦ ବଦଳରେ ମୋହାଲୀର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳାଯିବ । ସେହିପରି ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ (ଜୁନ୍ ୧) ଓ ଫାଇନାଲ୍ ମୁକାବିଲା (ଜୁନ୍ ୩ ) ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।
ତେବେ ଆସନ୍ତୁ ଜାଣିବା ଆଇପିଏଲ୍ ଜିତିବା ଦଳକୁ କେତେ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ବିଜୟୀ ଦଳକୁ ମୋଟ ୨୦ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ଉପ-ବିଜେତା (ଦ୍ୱିତୀୟ) ଦଳ ୧୨. ୫ କୋଟି ପୁରସ୍କାର ରାଶି ପାଇବେ । ସେହିପରି ତୃତୀୟ ସ୍ଥାନ ଗ୍ରହଣ କରିଥିବା ଦଳକୁ ୭ କୋଟି ମିଳିବାକୁ ଥିବାବେଳେ ଚତୁର୍ଥ ସ୍ଥାନରେ ରହିବା ଦଳକୁ ୬.୫ କୋଟି ଟଙ୍କା ପ୍ରଦାନ କରାଯିବ ।