ନୂଆଦିଲ୍ଲୀ: ଭାରତ ଏସିଆ କପ୍ରୁ ଓହରିବା ନେଇ ଖବରକୁ ଖଣ୍ଡନ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) । ଏ ନେଇ କୌଣସି ଆଲୋଚନା ହୋଇ ନାହିଁ କିମ୍ବା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ।
ବିସିସିଆଇ ସମ୍ପାଦକ ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ ଦେଇଥିବା ପ୍ରତିକ୍ରିୟାରେ ଏସିଆ କପକୁ ନେଇ ପ୍ରକାଶ ପାଇଥିବା ଖବର ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ଦେବଜିତ ସାଇକିଆ କହିଛନ୍ତି, ଆଜି ସକାଳ ଠାରୁ, କିଛି ଖବର ଆମ ନଜରକୁ ଆସିଛି ଯେ ବିସିସିଆଇ ଏସିଆ କପ୍ ଏବଂ ମହିଳା ଉଦୀୟମାନ ଦଳ ଏସିଆ କପ୍, ଯାହା ଉଭୟ ଏସିସି (ଏସିଆନ କ୍ରିକେଟ ପରିଷଦ) ଇଭେଣ୍ଟରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି । ଏପରି ଖବର ଏପର୍ଯ୍ୟନ୍ତ କୌଣସି ସତ୍ୟତା ନାହିଁ । ବିସିସିଆଇ ଏସିସିକୁ କିଛି ଲେଖିବା ତ ଦୂରର କଥା, ପରବର୍ତ୍ତୀ ଏସିସି ଇଭେଣ୍ଟଗୁଡ଼ିକ ବିଷୟରେ ଆଲୋଚନା କିମ୍ବା କୌଣସି ପଦକ୍ଷେପ ନେଇନାହିଁ । ଏହି ପର୍ଯ୍ୟାୟରେ, ଆମର ମୁଖ୍ୟ ଧ୍ୟାନ ଚଳିତ ଆଇପିଏଲ ଏବଂ ପରବର୍ତ୍ତୀ ପୁରୁଷ ଏବଂ ମହିଳା ଇଂଲଣ୍ଡ ସିରିଜ, ଉପରେ ରହିଛି ।"
ସେ ଆହୁରି କହିଛନ୍ତି ଯେ ଏସିଆ କପ୍ ବିଷୟ କିମ୍ବା ଅନ୍ୟ କୌଣସି ଏସିସି ଇଭେଣ୍ଟ ପ୍ରସଙ୍ଗରେ କୌଣସି ସ୍ତରରେ ଆଲୋଚନା ପାଇଁ ଆସିନାହିଁ । ତେଣୁ ଏ ସମ୍ପର୍କରେ ସମସ୍ତ ଖବରକୁ ସେ ଅନୁମାନିକ ଏବଂ କାଳ୍ପନିକ ବୋଲି କହିଛନ୍ତି । ଯେତେବେଳେ କୌଣସି ଏସିସି ଇଭେଣ୍ଟ ଉପରେ କୌଣସି ଆଲୋଚନା ହେବ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ, ସେତେବେଳେ ଗଣମାଧ୍ୟମ ମାଧ୍ୟମରେ ତାହା ଘୋଷଣା କରାଯିବ ବୋଲି ସାଇକିଆ କହିଛନ୍ତି ।
ସୂଚନା ଯୋଗ୍ୟ, ସମ୍ପ୍ରତି ପାକିସ୍ତାନ ମନ୍ତ୍ରୀ ମୋହସିନ ନକଭି ଏସିସିର ମୁଖ୍ୟ ଅଛନ୍ତି । ତେଣୁ ଜୁନ୍ ମାସରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଏମର୍ଜିଂ ଏସିଆ କପ୍ ଏବଂ ୨୦୨୫ ପୁରୁଷ ଏସିଆ କପ୍ରୁ ବିସିସିଆଇ ଓହରି ଯାଇଥିବା ନେଇ ଖବର ପ୍ରସାରଣ ହୋଇଥିଲା ।