ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନା ପରେ ଶନିବାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇଛି । ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନକର୍ତ୍ତା ୧୮ ଜଣିଆ ଦଳ ଘୋଷଣା କରିଛନ୍ତି । ଏଥିସହ ବୋର୍ଡ ନୂଆ ଟେଷ୍ଟ ଅଧିନାୟକ ଘୋଷଣା କରିଛି । ଏହି ଗୁରୁ ଦାୟିତ୍ୱ ଯୁବ ଖେଳାଳି ଶୁଭମନ ଗିଲଙ୍କୁ ଦିଆଯାଇଛି । ଜୁନ ମାସରୁ ଅଧିନାୟକ ଭାବେ ଗିଲଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଉପ ଅଧିନାୟକ ଭାବେ ଋଷଭ ପନ୍ତଙ୍କୁ ନିଯୁକ୍ତ କରାଯାଇଛି ।
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ଆଉ ଟେଷ୍ଟ ଦଳରେ ଦେଖିବାକୁ ମିଳିବ ନାହିଁ । ଏହି ତିନି ବରିଷ୍ଠ ଖେଳାଳି ନିକଟରେ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ତେଣୁ ଏମାନଙ୍କ ସ୍ଥାନରେ କିଛି ନୂଆ ଖେଳାଳିଙ୍କୁ ଦଳରେ ସୁ୍ଯୋଗ ମିଳିଛି । ସାଇ ସୁଦର୍ଶନଙ୍କୁ ଆଇପିଏଲରେ ଶ୍ରେଷ୍ଠ ପ୍ରଦର୍ଶନର ପୁରସ୍କାର ମିଳିଛି । ପ୍ରଥମ ଥର ଟେଷ୍ଟ ଦଳରେ ଏହି ବାମହାତୀ ବ୍ୟାଟରଙ୍କୁ ସୁଯୋଗ ମିଳିଛି । ଦୀର୍ଘ ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି କରୁଣ ନାୟର । ଧ୍ରୁବ ଜୁରେଲ ନିଜର ସ୍ଥାନ ବଜାୟ ରଖିଛନ୍ତି । ଅଭିମନ୍ୟୁ ଈଶ୍ୱରନଙ୍କ ଉପରେ ଚୟନକର୍ତ୍ତା ଭରସା ପ୍ରକଟ କରିଛନ୍ତି ।
ଇଂଲଣ୍ଡ ପିଚକୁ ଦେଖି ଆଶା ଅନୁରୂପ ଦ୍ରୁତ ବୋଲିଂ ଅଲରାଉଣ୍ଡର ସହ ୫ ଜଣ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି । ମହମ୍ମଦ ଶାମିଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡୀ ଓ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଭରସା ରଖିଛନ୍ତି ଚୟନକର୍ତ୍ତା । ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି ।
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ
ଶୁଭମନ ଗିଲ(ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, କରୁଣ ନାୟର, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ ।
ଭାରତର ଇଂଲଣ୍ଡ ଗସ୍ତ ଜୁନ ୨୦ରୁ ଆରମ୍ଭ ହେବ । ଆଇସିସି ଟେଷ୍ଟ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫-୨୭ ଚକ୍ରରେ ଭାରତର ଏହା ପ୍ରଥମ ଟେଷ୍ଟ ସିରିଜ୍ ହେବ । ପ୍ରଥମ ମ୍ୟାଚ୍ ଲିଡ୍ସରେ ଜୁନ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଜୁଲାଇ ୨ରୁ ବର୍ମିଂଘମରେ ଆୟୋଜିତ ହେବ । ତୃତୀୟ ମୁକାବିଲା ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଜୁଲାଇ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଚତୁର୍ଥ ମୁକାବିଲା ମାଞ୍ଚେଷ୍ଟରରେ ଜୁଲାଇ ୨୩ରୁ ୨୭ ଏବଂ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଲଣ୍ଡନର କେନିଙ୍ଗଟନ ଓଭାଲରେ ଜୁଲାଇ ୩୧ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ଗସ୍ତ ଆରମ୍ଭରେ ଭାରତୀୟ ଦଳ ଏକ ଅଭ୍ୟାସ୍ ମ୍ୟାଚ୍ ଭାରତୀୟ ଏ କିମ୍ବା ଇଂଲଣ୍ଡ ଲାୟଏନ୍ସ ବିପକ୍ଷରେ ଖେଳା ଯାଇପାରେ । ଏହି ମ୍ୟାଚ୍ ଜୁନ ୧୩ରୁ ୧୬ ତାରିଖ ମଧ୍ୟରେ ଖେଳାଯିବ ।