ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଅର୍ଥାତ ଡବ୍ଲ୍ୟୁଟିସିର ତୃତୀୟ ସଂସ୍କରଣର ଫାଇନାଲ୍ ମୁକାବିଲା ଜୁନ ୧୧ ଅର୍ଥାତ ଆସନ୍ତାକାଲିଠୁ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଏହି ମୁକାବିଲା ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଖେଳାଯିବ । ଡବ୍ଲ୍ୟୁଟିସିକୁ ଟେଷ୍ଟ କ୍ରିକେଟର ବିଶ୍ୱ କପ୍ କହିଲେ ଅତ୍ୟୁକ୍ତି ହେବନି । ଗତ ଦୁଇଟି ସଂସ୍କରଣରେ ସିଜିନରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିଲେ । ଉଭୟ ଥର ଭାରତ ଫାଇନାଲରେ ପ୍ରବେଶ କରିଥିଲା ।
ଏହି ଟାଇଟଲ୍ ମୁକାବିଲା ଇଂଲଣ୍ଡର ସ୍ଥାନୀୟ ସମୟ ଅନୁସାରେ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ । ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ଅପରାହ୍ଣ ୩ଟାରେ ଖେଳାଯିବ । ଭାରତରେ ଆପଣ ଷ୍ଟାର ସ୍ପୋର୍ଟ୍ସ ନେଟୱର୍କରେ ଦେଖି ପାରିବେ । ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାରରେ ମ୍ୟାଚର ସିଧା ପ୍ରସାରଣର ମଜା ନେଇ ପାରିବେ ।
ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଲଗାତାର ଦୁଇ ଥର ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିଛି । ଗତ ସଂସ୍କରଣରେ ଦଳ ଭାରତକୁ ହରାଇ ଟାଇଟଲ୍ ଜିତିଥିଲା । ଏହି ଚକ୍ରରେ ପାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ଦଳ ୧୯ଟି ମ୍ୟାଚ୍ ଖେଳି ୧୩ଟି ଜିତିଛି । ଦକ୍ଷିଣ ଆଫ୍ରିକା ୧୨ଟି ଖେଳି ୮ ବିଜୟ ସହ ଅଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲା ।
ଲର୍ଡ୍ସରେ ଏ ପର୍ଯ୍ୟନ୍ତ ୧୪୭ଟି ଟେଷ୍ଟ ଖେଳା ଯାଇଛି । ଏଥିରୁ ୫୩ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଦଳ ୪୩ ଥର ଜିତିଛି । ୫୧ଟି ମ୍ୟାଚ୍ ଡ୍ର ରହିଛି । ଲର୍ଡ୍ସରେ ସର୍ବୋଚ୍ଚ ସ୍କୋର ୭୨୯ ରନ ରହିଛି । ଅ ଷ୍ଟ୍ରେଲିଆ ୧୯୩୦ରେ ଏହି ସ୍କୋର ଇଂଲଣ୍ଡ ବିପକ୍ଷରେ କରିଥିଲା । ୧୯୯୦ରେ ଇଂଲଣ୍ଡ ଗ୍ରାହାମ ଗୁଚ ଏହି ମଇଦାନରେ ବ୍ୟକ୍ତିଗତ ୩୩୦ ରନ ଇନିଂସ ଖେଳିଥିଲେ । ଜୁନ ୧୧ରୁ ୧୫ ତାରିଖ ମଧ୍ୟରେ ଲର୍ଡ୍ସରେ ବର୍ଷା ହେବାର ସମ୍ଭାବନା ରହିଛି । ପିଚରେ ଅଧିକ ବାଉନ୍ସ ଦେଖିବାକୁ ମିଳିବ । ଦ୍ରୁତ ବୋଲରଙ୍କୁ ପିଚ୍ ବେଶ ସୁହାଇବ ।