ନୂଆଦିଲ୍ଲୀ: ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ଙ୍କ ଏସିଆନ ଗେମ୍ସ ଯାତ୍ରାକୁ ନେଇ ଚାଲିଥିବା ଆଇନଗତ ଲଢ଼େଇରେ ଆଜି ଏକ ନୂଆ ମୋଡ଼ ଆସିଛି। ଏସିଆନ ଗେମ୍ସର ଚୟନ ପ୍ରକ୍ରିୟା ବା ଟ୍ରାଏଲ୍ସରେ ଭାଗ ନେବା ପରେ ଭିନେଶ ଫୋଗାଟ୍ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ଏହି ସୂଚନା ମିଳିବା ପରେ ସୁପ୍ରିମକୋର୍ଟ ଗୁରୁବାର ଭାରତୀୟ କୁସ୍ତି ସଂଘ (WFI) ପକ୍ଷରୁ ଦାୟର ହୋଇଥିବା ଆପତ୍ତି ଆବେଦନର ଶୁଣାଣିକୁ ଆଗକୁ ବଢ଼ାଇବାର ଆବଶ୍ୟକତା ନ ଥିବା କହି ବନ୍ଦ କରିଦେଇଛନ୍ତି।
ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଭିନେଶ ଫୋଗାଟ୍ଙ୍କ ଏସିଆନ ଗେମ୍ସ ଟ୍ରାଏଲ୍ସରେ ସାମିଲ ହେବା ପାଇଁ ଅନୁମତି ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୁସ୍ତି ସଂଘ (WFI) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସଂଘ ପକ୍ଷରୁ ସିନିୟର ଆଡଭୋକେଟ୍ ଡି.ଏନ୍. ଗୋବର୍ଦ୍ଧନ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ହାଇକୋର୍ଟ କୁସ୍ତି ସଂଘର କାର୍ଯ୍ୟାନୁଷ୍ଠାନକୁ 'ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ' ବୋଲି କହିଛନ୍ତି, ଯାହାକୁ ରଦ୍ଦ କରାଯିବା ଉଚିତ୍। କିନ୍ତୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି।
ହାଇକୋର୍ଟଙ୍କ ଟିପ୍ପଣୀ ଦ୍ୱାରା ଏକକ ବେଞ୍ଚରେ ଚାଲୁଥିବା ମୂଳ ମାମଲା ପ୍ରଭାବିତ ହେବ ନାହିଁ। ଆଇନଗତ ପ୍ରଶ୍ନଗୁଡ଼ିକ ଏବେ ବି ଖୋଲା ଅଛି ଏବଂ ହାଇକୋର୍ଟ ଚାହିଁଲେ ସେଗୁଡ଼ିକ ଉପରେ ଆଗକୁ ବିଚାର କରିପାରିବେ। ଏହି ମାମଲାର ଶୁଣାଣି ସମୟରେ ଅଦାଲତ ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି (ITA) ର ନିୟମାବଳୀକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଭିନେଶ ଫୋଗାଟ୍ ଡୋପ ଟେଷ୍ଟରେ ସାମିଲ ନହେବା ଉପରେ ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଥିଲେ ଯେ ହାଇକୋର୍ଟ ନିଜ ରାୟରେ 'ମାତୃତ୍ୱ' ଉପରେ ପୃଷ୍ଠା ପୃଷ୍ଠା ଲେଖିଛନ୍ତି, କିନ୍ତୁ ଅସଲ ବିଷୟ ହେଉଛି ଆନ୍ତର୍ଜାତୀୟ ଖେଳ ନିୟମର ଅନୁପାଳନ।
ଅଦାଲତ ଭିନେଶଙ୍କୁ କଡ଼ା ଭାଷାରେ ତାଗିଦ୍ କରି କହିଛନ୍ତି ଯେ, ସେ ୨୦୨୪ ମସିହାରୁ ଖେଳ ମଇଦାନରୁ ପ୍ରାୟତଃ ଦୂରରେ ରହିଛନ୍ତି। କେତେବେଳେ ମାତୃତ୍ୱ ତ କେତେବେଳେ ହରିୟାଣା ବିଧାନସଭାର ବିଧାୟକ ଭାବେ ନିଜର ବ୍ୟସ୍ତତା ଦର୍ଶାଇ ସେ ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି। ଏପରିକି ୨୦୨୬ର ଗୁରୁତ୍ୱପୂର୍ଣ୍ଣ ଡୋପିଂ ଟେଷ୍ଟରେ ସେ ସାମିଲ ହୋଇନାହାନ୍ତି।
ଅଦାଲତ ସ୍ପଷ୍ଟ କରିଛନ୍ତି, ଆମକୁ ଏହା ବୁଝିବାକୁ ହେବ ଯେ ଭାରତୀୟ କ୍ରୀଡ଼ା ଆନ୍ତର୍ଜାତୀୟ ସ୍ତର ସହ ଜଡ଼ିତ। ଜଣେ ଖେଳାଳିଙ୍କ ସଫଳତା ଓ ଉପଲବ୍ଧି ନିଶ୍ଚିତ ଭାବେ ସମ୍ମାନଜନକ, କିନ୍ତୁ ଯେକୌଣସି ପରିସ୍ଥିତିରେ ଦେଶ ଏବଂ ଖେଳର ନିୟମ ସବୁଠାରୁ ଆଗରେ ରହିବ।
Also Read: ଆଇସିସି ଟ୍ରଫି ଜିତାଇବା ଭାରତୀୟ ଅଧିନାୟକଙ୍କ ପାଇଁ ଅଭିଶାପ ? ରୋହିତଙ୍କ ପରେ ସୂର୍ଯ୍ୟଙ୍କ ଉପରେ ବୁଲିଲା ଖଣ୍ଡା