ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ରେ ସଫଳତା ସତ୍ତ୍ୱେ ଅଧିନାୟକ ପଦରୁ ହଟାଇବା କିମ୍ବା ପରିବର୍ତ୍ତନ କରିବା ଏକ ନୂଆ ପରମ୍ପରା ପାଲଟିଛି। ଗତ ୩ ବର୍ଷ ମଧ୍ୟରେ ଦେଶକୁ ଆଇସିସି ଟ୍ରଫି ଜିତାଇବା ପରେ ବି ଅଧିନାୟକମାନଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ପ୍ରଥମେ ହିଟ୍ମ୍ୟାନ୍ ରୋହିତ ଶର୍ମା ଏବଂ ଏବେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭାରତୀୟ କ୍ରିକେଟରେ ସବୁବେଳେ କିଛି ନା କିଛି ଅପ୍ରତ୍ୟାଶିତ ଘଟଣା ଘଟିଥାଏ। ସାଧାରଣତଃ ଜଣେ ଅଧିନାୟକ ଯଦି ଦେଶକୁ ବିଶ୍ୱସ୍ତରୀୟ ଟ୍ରଫି ଜିତାନ୍ତି, ତେବେ ତାଙ୍କର ପଦ ଓ ପ୍ରତିଷ୍ଠା ଆହୁରି ବୃଦ୍ଧି ପାଇଥାଏ। କିନ୍ତୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ମନେହୁଏ। ବିଗତ ୩ ବର୍ଷର ରେକର୍ଡକୁ ଦେଖିଲେ ଜଣାପଡ଼େ ଯେ, ଦେଶକୁ ଆଇସିସି ଟ୍ରଫି ଜିତାଇବା ପରେ ଅଧିନାୟକଙ୍କ ପଦ ସୁରକ୍ଷିତ ରହୁନାହିଁ ।
ରୋହିତ ଶର୍ମାଙ୍କ କାହାଣୀ
ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ରୋହିତ ଶର୍ମା ଅନ୍ୟତମ। ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଜିତି ଦୀର୍ଘ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ କରିଥିଲା। କିନ୍ତୁ ଏହି ଐତିହାସିକ ସଫଳତା ପରେ ହିଁ ଟି-୨୦ ଫର୍ମାଟ୍ରୁ ତାଙ୍କ ଅଧିନାୟକତ୍ୱ ଅଧ୍ୟାୟ ଶେଷ ହୋଇଥିଲା। ଯଦିଓ ଏହାକୁ ଏକ ସ୍ୱାଭାବିକ ପରିବର୍ତ୍ତନ ବା ଅବସର ବୋଲି କୁହାଗଲା, କିନ୍ତୁ ଜଣେ ବିଜେତା ଅଧିନାୟକଙ୍କୁ ଆଗାମୀ ଯୋଜନାରୁ ଦୂରେଇ ରଖିବାର ରଣନୀତି ସେତେବେଳେ ପ୍ରଶଂସକଙ୍କୁ ଚକିତ କରିଥିଲା।
ଏବେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚର୍ଚ୍ଚା ?
ରୋହିତ ଶର୍ମାଙ୍କ ପରେ ଟି-୨୦ ଦଳର ନେତୃତ୍ୱ ନେଇଥିଲେ ସୂର୍ଯ୍ୟକୁମାର ଯାଦବ। ବିଶ୍ୱର ଏହି ନମ୍ବର ୱାନ ଟି-୨୦ ବ୍ୟାଟର ନିଜର ନେତୃତ୍ୱ ଶୈଳୀରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ନିକଟରେ ଭାରତୀୟ ଦଳ ତାଙ୍କ ଅଧିନାୟକତ୍ୱରେ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଥିଲା ।। କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଗାମୀ ବଡ଼ ଟୁର୍ନାମେଣ୍ଟ ଏବଂ ଦଳର ନୂତନ ସମୀକରଣକୁ ଦୃଷ୍ଟିରେ ରଖି ସୂର୍ଯ୍ୟଙ୍କୁ ମଧ୍ୟ ଅଧିନାୟକ ପଦରୁ ମୁକ୍ତ କରାଯାଇଛି।
ଏହି ଘଟଣା ସେହି ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି ଯେଉଁମାନେ ଭାବୁଥିଲେ ଯେ ବିଜୟୀ ଅଧିନାୟକଙ୍କୁ ଅପରିବର୍ତ୍ତିତ ରଖାଯିବ। ସୂର୍ଯ୍ୟଙ୍କ ଜାଗାରେ କୌଣସି ଯୁବ ଖେଳାଳି କିମ୍ବା ଅଲରାଉଣ୍ଡରଙ୍କୁ ଦାୟିତ୍ୱ ଦେବା ପାଇଁ ବୋର୍ଡ ଭିତରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
Also Read: ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା, ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାହାର ବିରାଟ କୋହଲି