ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଛି ଆଫଗାନିସ୍ତନ । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ଏକ ମାତ୍ର ଟେଷ୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦେଖିବା ପାଇଁ ଦର୍ଶକ ବ୍ୟାକୁଳ ଥିଲେ । ହେଲେ କ୍ରିକେଟ୍ ପ୍ରେମୀଙ୍କ ସହ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଆଇପିଏଲ୍ ୨୦୨୬ରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି ।
ଆଇପିଏଲ୍ ୨୦୨୬ ଫାଇନାଲ୍ ସମୟରେ ବିରାଟ କୋହଲି ସଂପୂର୍ଣ୍ଣ ଫିଟ୍ ନ ଥିଲେ । ବ୍ୟାଟିଂ ସମୟରେ ଅନେକ ଥର ଫିଜିଓଙ୍କୁ ପଡିଆକୁ ଆସିବାକୁ ପଡିଥିଲା । ତଥାପି କୋହଲି ଚମତ୍କାର ବ୍ୟାଟିଂ କରି ଅପରାଜିତ ରହି ଦଳକୁ ଜିତାଇଥିଲେ । କୋହଲି ହାର୍ମଷ୍ଟ୍ରିଙ୍ଗ ସମସ୍ୟା ଦେଇ ଗତି କରୁଥିଲେ । ଏବେ ଏହି କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ସେ ବାହାରି ଯାଇଛନ୍ତି ।
ହେଲେ ବିସିସିଆଇ ଏ ପର୍ଯ୍ୟନ୍ତ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା କରି ନାହିଁ । ଅନ୍ୟପଟେ ରୋହିତ ଶର୍ମାଙ୍କୁ ନେଇ ବୋର୍ଡ ପୂର୍ବରୁ ସ୍ପଷ୍ଟ କରି ସାରିଛି ଯେ, ରୋହିତଙ୍କ ଖେଳିବା ତାଙ୍କର ଫିଟନେସ୍ ଉପରେ ନିର୍ଭର କରେ । ହେଲେ ରୋହିତଙ୍କ ଏ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସଲେନ୍ସ ଯିବାର କୌଣସି ଖବର ନାହିଁ ।
କୋହଲିଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ ?
ଏବେ ପ୍ରଶ୍ନ ଉଠୁଛି,ବିରାଟ କୋହଲିଙ୍କ ବଦଳ ଖେଳାଳି ଭାବେ କାହାକୁ ଚୟନ କରାଯିବ । ଏଥିପାଇଁ ଡୌଡରେ ଅଛନ୍ତି ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାଡଙ୍କ ପରି ଖେଳାଳି । ଯାହାଙ୍କୁ ବି ସୁଯୋଗ ମିଳିବ ତାଙ୍କୁ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ପଡିବ
ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ
ଶୁଭମନ ଗିଲ୍, ରୋହିତ ଶର୍ମା(ଫିଟ୍ ଥିଲେ ଖେଳିବେ), କେଏଲ ରାହୁଲ(ୱିକେଟ୍ କିପର), ଇଶାନ କିଷନ( ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଫିଟ୍ ଥିଲେ ଖେଳିବେ), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ପ୍ରିନ୍ସ ଯାଦବ, ଗୁରନୁର ବରାର, ହର୍ଷ ଦୁବେ ।