କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁ ପଞ୍ଚାୟତର ଓସ୍ତର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ବିସ୍ଫୋରଣ ଘଟି ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ବିସ୍ଫୋରଣ ପରେ ଲାଗିଥିବା ନିଆଁରେ ଦୁଇଟି ନଡ଼ା ଛପର ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଜଣେ ବୃଦ୍ଧା ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ଆଦିକନ୍ଦ ମଲ୍ଲିକଙ୍କ ଘରେ ଦିନ ପ୍ରାୟ ୩ଟା ସମୟରେ ହଠାତ୍ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଘର ଚାରିପାଖରେ ଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ କିଛି ସମୟ ପର୍ଯ୍ୟନ୍ତ କେହି ଘଟଣାସ୍ଥଳ ନିକଟକୁ ଯାଇପାରି ନଥିଲେ।
ଏହି ଦୁର୍ଘଟଣାରେ ଆଦିକନ୍ଦଙ୍କ ଭାଉଜ ବିଳାସୀ ମଲ୍ଲିକ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ବିସ୍ଫୋରଣ ସମୟରେ ସେ ଘର ଭିତରେ ଖାଇବା ଖାଉଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଆଦିକନ୍ଦ ମଲ୍ଲିକଙ୍କ ପରିବାର ଦୀର୍ଘଦିନ ଧରି ବେଆଇନ ଭାବେ ବାଣ ବ୍ୟବସାୟ କରୁଥିଲେ। ଘର ଭିତରେ ବହୁ ପରିମାଣର ବାଣ ଗଚ୍ଛିତ ଥିବାରୁ ଏହି ବିସ୍ଫୋରଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଖବର ପାଇ ମାର୍ଶାଘାଇରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ସେହିପରି ମାର୍ଶାଘାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘରେ କେତେ ପରିମାଣର ବାଣ ଗଚ୍ଛିତ ଥିଲା ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ସେନେଇ ପୁଲିସ ଖୋଳତାଡ଼ ଚଳାଇଛି।