କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଆକ୍ରମଣ କରିଥିବାବେଳେ ସାହସ ଓ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଛି। ଏହି ଘଟଣା ରାଜନଗର ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ଗାଁରେ ଘଟିଛି।
ଆହତ ବ୍ୟକ୍ତି ହେଲେ କ୍ଷମାନିଧି ଦାସ। ଗୁରୁବାର ସକାଳେ ସେ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ଗାଧୁଆ ତୁଠରେ ଗାଧୋଉଥିଲେ। ସେହି ସମୟରେ ହଠାତ୍ ଏକ ବିରାଟ କୁମ୍ଭୀର ନଦୀ ଭିତରୁ ବାହାରି ତାଙ୍କ ଉପରେ ଆକ୍ରମଣ କରିଥିଲା। କୁମ୍ଭୀରଟି କ୍ଷମାନିଧିଙ୍କ ଗୋଡ଼କୁ ଜାବୁଡ଼ି ଧରି ନଦୀ ଭିତରକୁ ଟାଣି ନେବାକୁ ଚେଷ୍ଟା କରିଥିଲା।
ହଠାତ୍ ଆକ୍ରମଣରେ କ୍ଷମାନିଧି ଭୟଭୀତ ହୋଇପଡ଼ିଥିଲେ ମଧ୍ୟ ହାର ମାନିନଥିଲେ। ସେ କୁମ୍ଭୀର ସହ ଲଢ଼ିବା ଜାରି ରଖିଥିଲେ ଏବଂ ଜୋରରେ ଚିତ୍କାର କରି ସହାୟତା ମାଗିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ ଗାଧୋଉଥିବା ଲୋକମାନେ ତୁରନ୍ତ ସେଠାକୁ ଦୌଡ଼ି ଆସିଥିଲେ।
ଗ୍ରାମବାସୀମାନେ ବାଉଁଶ ଓ ଲାଠି ଧରି କୁମ୍ଭୀରକୁ ଘଉଡ଼ାଇବା ଆରମ୍ଭ କରିଥିଲେ। ପ୍ରାୟ ୧୫ ମିନିଟ୍ ଧରି କୁମ୍ଭୀର, କ୍ଷମାନିଧି ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ଶେଷରେ ଗ୍ରାମବାସୀଙ୍କ ପ୍ରୟାସ ଆଗରେ କୁମ୍ଭୀର ହାର ମାନି କ୍ଷମାନିଧିଙ୍କୁ ଛାଡ଼ି ନଦୀ ଭିତରକୁ ପଳାଇଯାଇଥିଲା।
ଆକ୍ରମଣରେ କ୍ଷମାନିଧିଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କ ଶରୀରରେ ପ୍ରାୟ ୪୦ରୁ ୫୦ଟି କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆକ୍ରମଣ କରିଥିବା କୁମ୍ଭୀରଟି ଅତ୍ୟନ୍ତ ବଡ଼ ଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ାର ନଦୀକୂଳ ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ଥର କୁମ୍ଭୀର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।
ଘଟଣା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ନଦୀକୂଳ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କ୍ଷମାନିଧିଙ୍କ ସାହସ ଏବଂ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।