ଭୁବନେଶ୍ୱର: ନୂଆଦିଲ୍ଲୀର ଭୟଙ୍କର ହୋଟେଲ୍ ଅଗ୍ନିକାଣ୍ଡରେ ୨୧ରୁ ଅଧିକ ଲୋକଙ୍କ ଜୀବନ ଯିବା ପରେ ସତର୍କ ହୋଇଛି ଓଡ଼ିଶା ଅଗ୍ନିଶମ ବିଭାଗ। ରାଜ୍ୟର ସମସ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟ ପାଇଁ ଖୁବଶୀଘ୍ର ଏକ କଡ଼ା ଅଗ୍ନି ନିରାପତ୍ତା ପରାମର୍ଶ ଜାରି କରାଯିବ ବୋଲି ଘୋଷଣା କରିଛି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ।
ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ହୋଟେଲ୍ଗୁଡ଼ିକର ବେସମେଣ୍ଟକୁ କେବଳ ଗାଡ଼ି ପାର୍କିଂ କିମ୍ବା ଅଣ-ଦାହ୍ୟ ସାମଗ୍ରୀ ରଖିବା ପାଇଁ ବ୍ୟବହାର କରାଯିବ। ବେସମେଣ୍ଟରେ କୌଣସି ବ୍ୟବସାୟିକ କିମ୍ବା ରହଣିଆ କାର୍ଯ୍ୟକଳାପକୁ ଅନୁମତି ମିଳିବ ନାହିଁ।
ଦିଲ୍ଲୀ ଅଗ୍ନିକାଣ୍ଡର ତଦନ୍ତରେ ଜଣାପଡ଼ିଥିଲା ଯେ, ସମ୍ପୃକ୍ତ ହୋଟେଲର ବେସମେଣ୍ଟକୁ ରହିବା ସ୍ଥାନ ଭାବେ ବ୍ୟବହାର କରାଯାଉଥିଲା। ଅଗ୍ନିକାଣ୍ଡ ସମୟରେ ସେଠାରେ ଅନେକ ଲୋକ ଫସି ରହିଥିଲେ, ଯାହା ମୃତ୍ୟୁ ସଂଖ୍ୟା ବଢ଼ିବାର ଏକ ବଡ଼ କାରଣ ହୋଇଥିଲା। ଏହି ଘଟଣାରୁ ଶିକ୍ଷା ନେଇ ଓଡ଼ିଶା ସରକାର ଓ ଅଗ୍ନିଶମ ବିଭାଗ ନୂଆ ସୁରକ୍ଷା ନିୟମ ଆଣିବାକୁ ଯାଉଛନ୍ତି।
ଏପଟେ ରଥଯାତ୍ରା ନିକଟେଇ ଆସୁଥିବାରୁ ପୁରୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ପୁରୀ ଜିଲ୍ଲା ପ୍ରଶାସନ ସହ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ନିଷ୍ପତ୍ତି ହୋଇଛି ଯେ, ରଥଯାତ୍ରା ପୂର୍ବରୁ ସମସ୍ତ ହୋଟେଲ୍ ଓ ଲଜ୍ର ବିଦ୍ୟୁତ ସଂଯୋଗ ଏବଂ ୱାୟାରିଂର ଯାଞ୍ଚ କରାଯିବ।
ଅଧିକୃତ ବିଦ୍ୟୁତ ଅଧିକାରୀଙ୍କ ଯାଞ୍ଚ ପ୍ରମାଣପତ୍ର ରହିଲେ ହିଁ ହୋଟେଲ୍ଗୁଡ଼ିକୁ ଚାଲୁ ରଖିବାକୁ ଅନୁମତି ମିଳିବ। ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି।
ଦିଲ୍ଲୀର ଦୁର୍ଘଟଣା ପରେ ଓଡ଼ିଶାରେ ଅଗ୍ନି ନିରାପତ୍ତାକୁ ନେଇ ଏହା ଏକ ବଡ଼ ଓ ସମୟୋପଯୋଗୀ ପଦକ୍ଷେପ ବୋଲି ମନେ କରାଯାଉଛି। ଏହା ଦ୍ୱାରା ଭବିଷ୍ୟତରେ ଅଗ୍ନିକାଣ୍ଡ ଜନିତ ବଡ଼ ଦୁର୍ଘଟଣାକୁ ଏଡ଼ାଇବା ସମ୍ଭବ ହେବ ବୋଲି ଆଶା କରାଯାଉଛି।