ଭୁବନେଶ୍ୱର: ଥାଇଲାଣ୍ଡର ଫସିଛନ୍ତି ଓଡ଼ିଆ ଶ୍ରମିକ । ବିନା ପାରିଶ୍ରମିକରେ କମ୍ପାନୀ କାମ କରାଉଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଓ ଆଳି ବ୍ଲକର ଚାରି ଜଣ ଶ୍ରମିକ ବିଦେଶରେ ଫସିଛନ୍ତି । ସେମାନଙ୍କ ସହିତ ଜଣେ ଉତ୍ତରପ୍ରଦେଶ ବାସିନ୍ଦା ମଧ୍ୟ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ।
ବର୍ଷକ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଗୋପଢିଅ ଗ୍ରାମର କ୍ଷୀରୋଦ ଦାସ, ପୋଇଝାରିଆ ଗ୍ରାମର ମନୋଜ ମଲ୍ଲିକ, କୈଳାସ ସେଠୀ ଓ ଆଳି ବ୍ଲକର ନିତ୍ୟାନନ୍ଦ ମଲ୍ଲିକ ଏବଂ ଉତ୍ତର ପ୍ରଦେଶର ଜଣେ ଶ୍ରମିକ ଥାଇଲାଣ୍ଡ ଯାଇଥିଲେ । କମ୍ପାନୀ ସେମାନଙ୍କୁ ଟୁରିଷ୍ଟ ଭିସାରେ ନେଇଥିଲା । ସେଠାରେ ଏକ ପ୍ଲାଏ ଉଡ୍ କମ୍ପାନୀରେ କାମ କରୁଛନ୍ତି । ପ୍ରଥମେ ପ୍ରଥମେ କମ୍ପାନୀ ଠିକଠାକ୍ ଦରମା ଦେଇଥିଲେ । କିନ୍ତୁ ଗତ ଚାରି ମାସ ହେବ କମ୍ପାନୀ ସେମାନଙ୍କୁ ଦରମା ଦେଉ ନାହିଁ କିମ୍ବା ଘରକୁ ଛାଡ଼ୁ ନାହିଁ । ଅଭିଯୋଗ କରିବାରୁ ସେମାନଙ୍କ ପାସପୋର୍ଟ ଛଡ଼ାଇ ନେବା ସହିତ ପୋଲିସରେ ଧରାଇ ଦେବେ ବୋଲି ଧମକ ଦେଉଛନ୍ତି ।
ସେପଟେ କୈଳାସ ସେଠୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ହାତ ଗୋଡ଼ ମଧ୍ୟ ଫୁଲି ଗଲାଣି କିନ୍ତୁ କମ୍ପାନୀ ଛୁଟି ଦେଉ ନାହିଁ କି ଦରମା ଦେଉ ନାହିଁ । ଏମିତିକି ଚିକିତ୍ସା ମଧ୍ୟ କରାଉ ନାହିଁ ।
ଏ ନେଇ ପାଞ୍ଚ ଜଣେ ଶ୍ରମିକ ସେମାନଙ୍କୁ ଉଦ୍ଧାର କରିବାକୁ ଏକ ଭିଡ଼ିଓ ଜରିଆରେ ଆକୁଳ ନିବେଦନ କରିଛନ୍ତି । ସେଠାରୁ ଯଥାଶୀଘ୍ର ଉଦ୍ଧାର କରିବାକୁ କେନ୍ଦ୍ରାପଡ଼ା ସାଂସଦ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।