ପୁରୀ: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତା ଏବେ ବିଶ୍ୱ ଦରବାରରେ ଚର୍ଚ୍ଚାର ବିଷୟ। ଏହାରି ମଧ୍ୟରେ ପୁରୀରେ ଆରମ୍ଭ ହୋଇଛି BRICS-୨୦୨୬ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ୍ (DRRG)ର ଦ୍ୱିତୀୟ ବୈଠକ। ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପକ୍ଷରୁ ଆୟୋଜିତ ଏହି ତିନି ଦିନିଆ ବୈଠକରେ ୧୧ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞ ଯୋଗ ଦେଇଛନ୍ତି।
‘Building for Resilience, Innovation, Cooperation and Sustainability’ ଥିମ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ସୁଦୃଢ଼ ଭିତ୍ତିଭୂମି ନିର୍ମାଣ, ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଓ ନୂତନ ପ୍ରଯୁକ୍ତିର ବ୍ୟବହାର ଉପରେ ଆଲୋଚନା ହେଉଛି।
ଏହି ବୈଠକର ସବୁଠୁ ବଡ଼ ଆକର୍ଷଣ ସାଜିଛି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍। ବାତ୍ୟା ପ୍ରବଣ ରାଜ୍ୟ ହୋଇଥିଲେ ମଧ୍ୟ ସମୟୋପଯୋଗୀ ସତର୍କ ସୂଚନା, ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଏବଂ ଦୃଢ଼ ସମୁଦାୟ ଭିତ୍ତିକ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ବିଶ୍ୱସ୍ତରରେ ପ୍ରଶଂସା ସାଉଁଟିଛି।
ବୈଠକରେ ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର ତଥା OSDMAର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ରାଜ୍ୟର ‘ଜିରୋ କାଜୁଆଲିଟି’ ମଡେଲ୍, ଆଧୁନିକ ଆଗୁଆ ସତର୍କ ବ୍ୟବସ୍ଥା ଓ ସଫଳ ବିପର୍ଯ୍ୟୟ ପରିଚାଳନା ଅନୁଭୂତି ଉପସ୍ଥାପନ କରିଥିଲେ।
ବିଦେଶୀ ପ୍ରତିନିଧିମାନେ ରାମଚଣ୍ଡୀ ବେଳାଭୂମିରେ ODRAF ପକ୍ଷରୁ ଜଳ ଉଦ୍ଧାର କାର୍ଯ୍ୟର ଲାଇଭ୍ ଡେମୋ ଦେଖିବେ। ସେମାନେ OSDMAର ପ୍ରଶିକ୍ଷିତ ସ୍ୱେଚ୍ଛାସେବୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହା ସହିତ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ମଧ୍ୟ ପରିଦର୍ଶନ କରିବେ।
ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ NDMAର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ପୁରୀର ଏହି ବୈଠକ କେବଳ BRICS ଦେଶମାନଙ୍କ ମଧ୍ୟରେ ସହଯୋଗକୁ ମଜବୁତ କରିବ ନାହିଁ, ବରଂ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ବିଶ୍ୱ ମଞ୍ଚରେ ଆହୁରି ସୁଦୃଢ଼ ଭାବେ ପ୍ରତିଷ୍ଠିତ କରିବ।