ପୁରୀ: ପୁରୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଆଜି ଉଦଘାଟନୀ ସମାରୋହ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ଉଦଘାଟନ ସମାରୋହରେ ଯୋଗ ଦେଇ ଅଭିଭାଷଣ ରଖିଛନ୍ତି ।
ବ୍ରିକ୍ସ ରାଷ୍ଟ୍ରସମୂହର ବ୍ରିକ୍ସ ରିଡକ୍ସନ ୱାର୍କିଙ୍ଗ ଗ୍ରୁପର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୯୯୯ ମହାବାତ୍ୟା ମନେ ପକାଇ ଓଡ଼ିଶା କିଭଳିଭାବେ ପ୍ରତି ବିପର୍ଯ୍ୟୟ ସମୟରେ ଦୃଢ଼ତାର ସହିତ ମୁକାବିଲା କରିଥିବା କହିଛନ୍ତି । ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟରେ “ଜିରୋ କାଜୁଆଲିଟି” ଉପରେ ଗୁରୁତ୍ୱ ଦେଇ ଆସିଛି । ଯେଉଁଥିପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ । ଆଉ ଏହାକୁ ବଜାୟ ରଖିବାକୁ ସରକାର ସୁବବେଳେ ଉଦ୍ୟମ ଜାରି ରଖିବେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯୋଗ ଦେଇଛନ୍ତି । ଏହା ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଡାକ୍ତର ଅରବିନ୍ଦ ପାଢ଼ୀ, ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି । ପୁରୀକୁ ବ୍ରିକ୍ସ ସମ୍ମିଳନୀ ପାଇଁ ବାଛିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦନ ଜଣାଇଛନ୍ତି ।
ମୋଟ ୧୧ଟି ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ଏହି ଆନ୍ତର୍ଜାତିକ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିନିଧି ଓ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ବ୍ରାଜିଲ,ରୁଷିଆ,ଇଣ୍ଡିଆ,ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗ ଦେଇଛନ୍ତି ।