ବାଲେଶ୍ୱର: ବାଲି ଚୋରା ଚାଲାଣ ବେଳେ ସାଂସଦଙ୍କ ଚଢ଼ଉ । ଜେସିବିକୁ ଜଗତ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଏହା ସହିତ ସ୍ଥାନୀୟ ପ୍ରଶାସନର ଖାମଖିଆଲ ମନୋଭାବକୁ ନେଇ ସାଂସଦ ବିରକ୍ତି ପ୍ରକାଶ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ବିଭିନ୍ନ ସ୍ଥାନରେ ବାଲି ଚୋରା ଚାଲାଣ ହେଉଥିବାର ସାଂସଦଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଗତକାଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜେ ବାଲିଆପାଳ ଗସ୍ତରେ ଆସି ଦେଉଳା ଓ ମଧୁପୁରା ପଂଚାୟତରେ ଚଢ଼ାଉ କରିଥିଲେ । ସାଂସଦଙ୍କ ସହିତ ବାଲିଆପାଳ ତହସିଲଦାର, ପୋଲିସ ଏବଂ ଖଣି ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସେହିସ୍ଥାନରୁ ଲକ୍ଷ ଲକ୍ଷ ଟ୍ରିପ୍ ମାଟି ଏବଂ ବାଲି ବେଆଇନଭାବେ ଉତ୍ତୋଳନ ଓ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ ।
ତଦନ୍ତ ସମୟରେ ଏକ ସର୍ଟକଟ୍ ରାସ୍ତା ଦେଇ ବାଉଁଶ ମାଧ୍ୟମରେ ପହଞ୍ଚି ବେଆଇନ ଭାବେ ମାଟି ଉତ୍ତୋଳନ ଚାଲିଥିବା ସ୍ଥାନକୁ ଯାଇଥିଲେ । ସେଠାରେ ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଏକ ଜେସିବି (JCB) ମେସିନ୍କୁ ଜବତ କରିଥିଲେ ସାଂସଦ ।
ଏହାକୁ ନେଇ ସାଂସଦ ବିରକ୍ତ ପ୍ରକାଶ କରିଛନ୍ତି । ଏଭଳି ବେଆଇନ ଭାବରେ ଲକ୍ଷ ଲକ୍ଷ ଟ୍ରିପ୍ ମାଟି ଏବଂ ବାଲି ଚୋରି ହେଉଛି l ଜଣେ ସାଂସଦ ହୋଇ ରେଡ୍ କରି ଧରିପାରୁଥିବାବେଳେ ସ୍ଥାନୀୟ ପ୍ରଶାସନ କାହିଁକି ଧରି ପାରୁ ନାହିଁ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏ ନେଇ ସାଂସଦ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କୁ ଫୋନ ଯୋଗେ ପଚାରିବା ସହିତ ଆଲୋଚନା କରିଛନ୍ତି । ଏପରି କାର୍ଯ୍ୟ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି ।