ଭୁବନେଶ୍ୱର: ଓଡ଼ିଆ ଭାଷାକୁ ରାଜ୍ୟ ପ୍ରଶାସନର କେନ୍ଦ୍ରବିନ୍ଦୁରେ ରଖିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ। ସରକାରୀ ଦପ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଦୁଇ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି।
ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆସନ୍ତା ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ। ପ୍ରଶିକ୍ଷଣରେ ଅଂଶଗ୍ରହଣ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଫିସର ଦୈନିକ କାର୍ଯ୍ୟ, ଚିଠିପତ୍ର ପ୍ରସ୍ତୁତି, ରିପୋର୍ଟ ଲେଖନ ଓ ବିଭିନ୍ନ ପ୍ରଶାସନିକ ଦସ୍ତାବିଜ ଓଡ଼ିଆରେ କିପରି ସଠିକ ଏବଂ ପ୍ରଭାବଶାଳୀ ଭାବେ କରାଯିବ, ସେନେଇ ବିସ୍ତୃତ ତାଲିମ ଦିଆଯିବ।
ବିଶେଷ କଥା ହେଉଛି, ଏହି ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ବିଭାଗକୁ ଅଂଶଗ୍ରହଣକାରୀଙ୍କ ନାମ ତାଲିକା ୬ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ବିଭାଗକୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି।
ଦୀର୍ଘଦିନ ଧରି ସରକାରୀ କାର୍ଯ୍ୟରେ ଇଂରାଜୀର ପ୍ରାଧାନ୍ୟ ରହିଥିବା ବେଳେ ଓଡ଼ିଆ ଭାଷାର ବ୍ୟବହାର ବଢ଼ାଇବାକୁ ଏହି ପଦକ୍ଷେପକୁ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି। ଏହା ଦ୍ୱାରା ସାଧାରଣ ଲୋକ ଓ ପ୍ରଶାସନ ମଧ୍ୟରେ ଭାଷାଗତ ଦୂରତା କମିବା ସହ ସରକାରୀ ସେବା ଆହୁରି ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି।
ଓଡ଼ିଆ ଅସ୍ମିତା ଓ ଭାଷାର ସୁରକ୍ଷା ଦିଗରେ ସରକାରଙ୍କ ଏହି ପଦକ୍ଷେପ କେବଳ ଏକ ତାଲିମ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରଶାସନରେ ମାତୃଭାଷାକୁ ସମ୍ମାନ ଦେବାର ଏକ ନୂଆ ଅଧ୍ୟାୟ।