ଯାଜପୁରରେ ରାତିଅଧିଆ ତାଣ୍ଡବ। କୀର୍ତ୍ତନ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ଯାଜପୁର ସଦର ଥାନା ଅନ୍ତର୍ଗତ ସିମିଳିଆ ବୁଲାଖୀପୁର ଗ୍ରାମରେ ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ମାରପିଟ୍ ସହ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ସଂଘର୍ଷରେ ବୃଦ୍ଧ ଏବଂ ଶିଶୁଙ୍କ ସମେତ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ମାଡ଼ପିଟର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ମୁଖ୍ୟ ଚିକିତ୍ସାଳୟର ଏହି ଦୃଶ୍ୟ ବୟାନ କରୁଛି ଗତକାଲି ରାତିର ସେହି ଭୟଙ୍କର ସ୍ଥିତିକୁ। କାହାର ମୁଣ୍ଡ ଫାଟିଛି ତ କାହାର ହାତ ଗୋଡ଼ରେ ଗଭୀର ଆଘାତ ଲାଗିଛି। ସୂଚନା ଅନୁସାରେ, ସିମିଳିଆ ବୁଲାଖୀପୁର ଅଞ୍ଚଳରେ ଥିବା ଏକ ଅନାବାଦୀ ସରକାରୀ ଜମିରେ ଚନ୍ଦନେଶ୍ୱର କୀର୍ତ୍ତନ ମଣ୍ଡପ ନିର୍ମାଣ କରାଯାଉଥିଲା। ହେଲେ ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ବିଜେପି ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ସେହି ବିବାଦୀୟ ସ୍ଥାନରେ କିଛି ଲୋକ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଅପରପକ୍ଷ ଅର୍ଥାତ୍ ବିଜେଡି ସମର୍ଥକମାନେ ସେଠାରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ। ଦେଖୁ ଦେଖୁ କଥା କଟାକଟିରୁ ସ୍ଥିତି ଉଗ୍ର ରୂପ ନେଇଥିଲା ଏବଂ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏପରିକି ଆତଙ୍କ ସୃଷ୍ଟି କରିବା ପାଇଁ ଗ୍ରାମରେ ବୋମାମାଡ଼ କରାଯାଇଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଗୋଷ୍ଠୀ ସଂଘର୍ଷରେ କୌଣସି ଅପରାଧୀ ନୁହେଁ, ବରଂ ନିରୀହ ବାଳକ, ଯୁବକ ଓ ବୃଦ୍ଧମାନେ ମଧ୍ୟ ଶିକାର ହୋଇଛନ୍ତି। ମୋଟ ୧୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେପଟେ ଘଟଣାର ଖବର ପାଇ ଯାଜପୁର ସଦର ଥାନା ପୋଲିସ ବୁଲାଖୀପୁର ଗ୍ରାମରେ ପହଞ୍ଚି ଉତ୍ତେଜନାକୁ ଶାନ୍ତ କରିବା ସହ ଘଟଣାର ତଦନ୍ତ ଚଳାଇଛି।