ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମ ଜଗନ୍ନାଥ ପାଟଣା ସାହିରେ କାଳବୈଶାଖୀ ଜନିତ ବଜ୍ରପାତ ଯୋଗୁଁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଅଖିଳ ସାହାଣୀଙ୍କ ପରିବାର ସନ୍ଧ୍ୟା ସମୟରେ ଘରେ ଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଏହି ଦୁର୍ଘଟଣାରେ ଅଖିଳଙ୍କ ୬ ବଖରା ଚାଳଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସୁନା-ରୂପା ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହିତ ବଜ୍ରପାତ ସଂସ୍ପର୍ଶରେ ଆସି ଶ୍ଵଶୁର ଓ ବୋହୂ ଗୁରୁତର ଆହତ ହୋଇଛନ୍ତି। ଭୁବନ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁକିଛି ନଷ୍ଟ ହୋଇସାରିଥିଲା।
ଆକାଶରୁ ବର୍ଷିଲା କାଳ। ନିମିଷକ ମଧ୍ୟରେ ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ଢେଙ୍କାନାଳ ଜିଲ୍ଲାରୁ ଆସିଛି କାଳବୈଶାଖୀର ଏହି କରାଳ ରୂପ। ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମ ଜଗନ୍ନାଥ ପାଟଣା ସାହିରେ ବଜ୍ରପାତ ଯୋଗୁଁ ଜଳିଯାଇଛି ୬ ବଖରା ଘର। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯମୁନାକୋଟ ଗ୍ରାମର ଅଖିଳ ସାହାଣୀଙ୍କ ପରିବାର ଲୋକେ ଘରେ ବସିଥିବା ସମୟରେ ହଠାତ୍ କାଳବୈଶାଖୀର ତାଣ୍ଡବ ଆରମ୍ଭ ହୋଇଥିଲା। ଏହି ସମୟରେ ଏକ ପ୍ରଚଣ୍ଡ ଶବ୍ଦ ସହ ଅଖିଳଙ୍କ ଘର ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତର ତୀବ୍ରତା ଏତେ ଅଧିକ ଥିଲା ଯେ ଦେଖୁ ଦେଖୁ ପୂରା ଘରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ଦୁର୍ଘଟଣାରେ ପରିବାରର ଶ୍ଵଶୁର ଏବଂ ବୋହୂ ଗୁରୁତର ଭାବେ ଝଲସି ଯାଇଛନ୍ତି।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଭୁବନ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସାହାଣୀ ପରିବାରର ୬ ବଖରା ଚାଳଘର ସମେତ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ରୂପା ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ସର୍ବସ୍ୱ ହରାଇ ଏବେ ନେତ୍ରହୀନ ସଦୃଶ ହୋଇପଡ଼ିଛି ପୂରା ପରିବାର।