ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଆସିଛି ଖୁସିର ଖବର । ସାମାନ୍ୟ ବିଳମ୍ବରେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ବର୍ଷ ୩ ଦିନ ବିଳମ୍ବରେ ମୌସୁମୀ ଭାରତକୁ ପ୍ରବେଶ କରିଛି । ପୂର୍ବରୁ ମେ'୨୬ ଏବଂ ଜୁନ୍ ପହିଲାକୁ ମୌସୁମୀ କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା । ସୁପର୍ ଏଲନିନୋ ପ୍ରଭାବ ଯୋଗୁଁ ମୌସୁମୀ ଆଗମନରେ ବିଳମ୍ବ ହୋଇଥିବା କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ସପ୍ତାହ ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।
ତେବେ ଯଦି ଓଡ଼ିଶାରେ ମୌସୁମୀ ଆଗମନକୁ ଦେଖିବା ତାହା ହେଲେ ପାଣିପାଗ ବିଭାଗର ଆକଳନ ଅନୁସାରେ ଦୁଇ ସପ୍ତାହ ସମୟ ଲାଗିପାରେ । ଆଗାମୀ ଦୁଇ ସପ୍ତାହ ଅର୍ଥାତ୍ ରଜ କିମ୍ବା ରଜ ପର୍ବ ପରେ ରାଜ୍ୟରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ମୌସୁମୀରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କମ୍ ରହିବ । ପରିମାଣାତ୍ମକ ଭାବେ ଦେଶରେ ୯୦ ପ୍ରତିଶତ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଜୁନ୍ରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ, ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ କମ୍ ଋତୁକାଳୀନ ବର୍ଷା ହେବାର ସମ୍ଭାବନା ଅଧିକ । ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳ, ଦକ୍ଷିଣ ଉପଦ୍ୱୀପର ପୂର୍ବ ଅଂଶ ଏବଂ ପୂର୍ବ-ମଧ୍ୟ ଭାରତର ସଂଲଗ୍ନ ଅଞ୍ଚଳ ଏବଂ ପୂର୍ବ ଭାରତର ବିଚ୍ଛିନ୍ନ ସ୍ଥାନ ବ୍ୟତୀତ, ଯେଉଁଠାରେ ସ୍ୱାଭାବିକରୁ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ଅଧିକ।