ଭୁବନେଶ୍ୱର: ଯିଏ ଶବ୍ଦକୁ ଦେଇଥିଲେ ନୂଆ ଦିଗ,ପ୍ରଶାସନ ଛାଡ଼ି ସାହିତ୍ୟକୁ ବାଛିଥିବା ମହାନ ସ୍ରଷ୍ଟା ଜେ.ପି. ଦାସ ଆଉ ନାହାନ୍ତି।୯୦ ବର୍ଷ ବୟସରେ ଭୁବନେଶ୍ୱରସ୍ଥ ବାସଭବନରେ ତାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗ ସହ ଓଡ଼ିଆ ସାହିତ୍ୟ ଜଗତ ହରାଇଛି ଜଣେ ବହୁମୁଖୀ ପ୍ରତିଭାଙ୍କୁ।
୧୯୩୬ ଏପ୍ରିଲ ୨୬ରେ ପୁରୀରେ ଜନ୍ମଗ୍ରହଣ କରିଥିବା ଜେ.ପି. ଦାସ ଛାତ୍ରଜୀବନରୁ ହିଁ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ୧୯୫୮ରେ ଭାରତୀୟ ପ୍ରଶାସନିକ ସେବା (IAS)ରେ ଯୋଗ ଦେଇ ସେ ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ହୋଇଥିଲେ। ବିଶେଷକରି ୧୯୬୫-୬୬ ମସିହାର କଳାହାଣ୍ଡି ଦୁର୍ଭିକ୍ଷ ସମୟରେ ତାଙ୍କ କାର୍ଯ୍ୟଦକ୍ଷତା ଆଜି ବି ସ୍ମରଣୀୟ ହୋଇ ରହିଛି। ତେବେ ସାହିତ୍ୟ ଓ ଗବେଷଣା ପ୍ରତି ଅପାର ଆକର୍ଷଣ ତାଙ୍କୁ ୧୯୮୪ରେ ସ୍ୱେଚ୍ଛାକୃତ ଅବସର ନେବାକୁ ପ୍ରେରିତ କରିଥିଲା।
‘ପ୍ରଥମ ପୁରୁଷ’, ‘ଆହ୍ନିକ’ ଓ ‘ପରିକ୍ରମା’ ଭଳି କବିତା ସଂକଳନ ମାଧ୍ୟମରେ ସେ ଓଡ଼ିଆ ଆଧୁନିକ କବିତାକୁ ଏକ ନୂଆ ଦିଗ ଦେଇଥିଲେ। ତାଙ୍କ ସାହିତ୍ୟିକ ଅବଦାନ ପାଇଁ ୨୦୦୬ରେ ସେ ସମ୍ମାନଜନକ ସରସ୍ୱତୀ ସମ୍ମାନରେ ଭୂଷିତ ହୋଇଥିଲେ। ସେହିପରି ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ନିଜର ସ୍ୱତନ୍ତ୍ର ଚିନ୍ତାଧାରାର ପରିଚୟ ଦେଇଥିଲେ।
କବିତା, ନାଟକ, ଉପନ୍ୟାସ, ଚିତ୍ରକଳା ଓ ଗବେଷଣା- ପ୍ରତ୍ୟେକ କ୍ଷେତ୍ରରେ ଜେ.ପି. ଦାସଙ୍କ ଅବଦାନ ଥିଲା ଅତୁଳନୀୟ। ‘ପୁରୀ ପେଣ୍ଟିଙ୍ଗସ’ ଓ ଓଡ଼ିଶାର କଳା ଐତିହ୍ୟ ଉପରେ ତାଙ୍କ ଗବେଷଣା ଆଜି ବି ମୂଲ୍ୟବାନ ଦସ୍ତାବିଜ ଭାବେ ବିବେଚିତ।
ଜେ.ପି. ଦାସଙ୍କ ବିୟୋଗରେ ଜଣେ ଲେଖକଙ୍କ ନୁହେଁ, ବରଂ ଏକ ଯୁଗର ଅବସାନ ଘଟିଛି। ତାଙ୍କ ସୃଷ୍ଟି, ଚିନ୍ତାଧାରା ଓ ସାହିତ୍ୟିକ ଐତିହ୍ୟ ଆଗାମୀ ପିଢ଼ିକୁ ସଦା ପ୍ରେରଣା ଦେଇ ଚାଲିବ।