ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଧରାପଡ଼ିଛି ଏକ ବଡ଼ ଗଞ୍ଜେଇ ଚାଲାଣ ରାକେଟ୍। ନକଲି ନମ୍ବର ପ୍ଲେଟ୍ ଲଗାଇ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ବେଳେ ପୋଲିସ ଚଢ଼ାଉ କରି ୯୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।
ବିଶେଷ ସୂଚନା ପାଇବା ପରେ ସୁନ୍ଦରଗଡ଼ ସଦର ପୋଲିସ ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା। ବୁଧବାର ରାତିରେ କରମଡିହି ବାଗବନ୍ଧ ନିକଟରେ ସନ୍ଦେହଜନକ ଗାଡ଼ିକୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା। ହେଲେ ଗାଡ଼ି ଚାଳକ ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲେ।
ଏହାପରେ ପୋଲିସ ଟିମ୍ ଗାଡ଼ିଟିକୁ ପିଛା କରି କରମଡିହି ନିକଟରେ କାବୁ କରିଥିଲା। ତଲାସି ବେଳେ ଗାଡ଼ି ଭିତରୁ ପ୍ରାୟ ୯୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ ଗାଡ଼ିରେ ଲାଗିଥିବା ଭୁବନେଶ୍ୱର ନମ୍ବର ପ୍ଲେଟ୍ ନକଲି ଥିଲା।
ପୋଲିସ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ ଚାଲାଣ ଉତ୍ତର ପ୍ରଦେଶକୁ ନିଆଯାଉଥିବା ସନ୍ଦେହ କରାଯାଉଛି।
ଘଟଣା ପରେ ପୋଲିସ ଚୋରାଚାଲାଣ ଚକ୍ରର ମୂଳ ସୂତ୍ର ଖୋଜିବା ସହ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ କରିଛି। ଏହି ସଫଳ ଅପରେସନ ପରେ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଉଛି।