ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ଦୁଇ ବର୍ଷ । ଜୁନ୍ ୪, ୨୦୨୪ ଏହି ତାରିଖ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଯେଉଁଦିନ ୨୪ ବର୍ଷର ବିଜେଡ଼ି ସରକାରକୁ କ୍ଷମତାରୁ ହଟାଇ ଗାଦି ଅକ୍ତିଆର କରିଥିଲା ବିଜେପି । ଏହି ବର୍ଷ ପୂର୍ତ୍ତି ଅବସରରେ 'ବିକଶିତ ଭାରତ' ସହିତ 'ସମୃଦ୍ଧ ଓଡ଼ିଶା' ଗଠନର ମହାଯଜ୍ଞରେ ସାମିଲ ହୋଇ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆ ଏକ୍ସରେ ଲେଖିଛନ୍ତି, “ଜୁନ୍ ୪ ତାରିଖ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ। ଆପଣଙ୍କର ସେହି ପବିତ୍ର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି”।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, “ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ଜୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଡବଲ୍ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି। ଆମ ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି”।
ଲୋକଙ୍କର ଅତୁଟ ବିଶ୍ୱାସ ଓ ଆସ୍ଥା ସରକାରଙ୍କ ସଂକଳ୍ପକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିଛି। ସେବା ଏବଂ ବିକାଶ ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ। ତେଣୁ ସମସ୍ତେ ମିଳିତ ଭାବେ 'ବିକଶିତ ଭାରତ' ସହିତ 'ସମୃଦ୍ଧ ଓଡ଼ିଶା' ଗଠନର ଏହି ମହାଯଜ୍ଞରେ ସାମିଲ ହୋଇ ଆମ ପ୍ରିୟ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।