ଭୁବନେଶ୍ୱର: ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ।
ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ ଆୟୋଜିତ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଉଦଘାଟନ କରି କହିଛନ୍ତି ଡିଜିପି ୱାବି ଖୁରାନିଆ । ଏହି ସମ୍ମିଳନୀରେ “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ବିସ୍ତୃତ ଆଲୋଚନା ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀକୁ ଡିଜିପି ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉପକୂଳ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ।
ଡିଜିପି ଉପକୂଳ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି । ଉପକୂଳ ଅଞ୍ଚଳରେ ଥିବା ୧୮ଟି ମେରାଇନ ପୋଲିସ ଥାନାରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଏହାସହ ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ ସୁଦୃଢ଼ କରାଯାଇଛି। ଭୁବନେଶ୍ୱରରେ ଅବସ୍ଥାପିତ ଥିବା କମାଣ୍ଡ, କଣ୍ଟ୍ରୋଲ ଓ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଏବଂ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ସେହିପରି ‘ନାଭାମିତ୍ର’ (NABHAMITRA) ଆପ୍ ମାଧ୍ୟମରେ ମାଛଧରା ଡଙ୍ଗାଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଉଛି ଏବଂ ଅବସରପ୍ରାପ୍ତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀମାନଙ୍କ ସେବାକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି। ଅଧିକ ଆଧୁନିକ ଓ ପ୍ରଭାବଶାଳୀ କରିବା ନିମନ୍ତେ ୧୦ଟି ନୂତନ ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ଅତିରିକ୍ତ ଟ୍ରଲର, ମିନି କଣ୍ଟ୍ରୋଲ ସେଣ୍ଟର, ମାଛଧରା ବନ୍ଦର ଏବଂ ଫିଶ୍ ଲ୍ୟାଣ୍ଡିଂ ସେଣ୍ଟରଗୁଡ଼ିକରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା, ମଡ୍ୟୁଲାର ଜେଟି ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ପ୍ରଣାଳୀ ସ୍ଥାପନ କରାଯିବ।
ସେ କହିଥିଲେ ଯେ, ଉପକୂଳ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ, ଆଧୁନିକ ପ୍ରଯୁକ୍ତିର ଦକ୍ଷ ବ୍ୟବହାର ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିରିକ୍ତ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଏବଂ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଗୃହ ମନ୍ତ୍ରଣାଳୟ, ନୂଆଦିଲ୍ଲୀର କୋଷ୍ଟାଲ୍ ସିକ୍ୟୁରିଟି ଏବଂ ବର୍ଡର ମ୍ୟାନେଜମେଣ୍ଟ ବିଭାଗର କମାଣ୍ଡାଣ୍ଟ ଉଦୟ କୁମାର ଚୌଧୁରୀ, ନୂଆଦିଲ୍ଲୀର ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ଉପ-ନିର୍ଦ୍ଦେଶକ ମନୀଷ କୁମାର ବର୍ମା ପ୍ରମୁଖ ଯୋଗ ଦେଇଛନ୍ତି ।