ଅଲ୍ ନିନୋର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସରକାର ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ଫସଲ ଏବଂ ମୌସୁମୀ ସମୟରେ ପାଣିପାଗ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଏଥିପାଇଁ ଭିନ୍ନ ଭିନ୍ନ ଗ୍ରୁପ୍ ବା ଦଳ ଗଠନ କରାଯାଇଛି। ଜାଣନ୍ତୁ କଣ ରହିଛି ସରକାରଙ୍କ ପ୍ରସ୍ତୁତି...
କେନ୍ଦ୍ର ସରକାର ଅଲ୍ ନିନୋର ସମ୍ଭାବ୍ୟ ବିପଦ ଏବଂ ମୌସୁମୀ ଉପରେ ଏହାର ପ୍ରତିକୂଳ ପ୍ରଭାବର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍ରେ ଅଛନ୍ତି। ସରକାର ଅଣ୍ଟା ଭିଡ଼ିଛନ୍ତି। କଣ୍ଟିଜେନ୍ସି ପ୍ଲାନ ସହିତ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ଏବଂ ଫସଲ ଓ ପାଣିପାଗର ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ଗ୍ରୁପ୍ ଗଠନ କରାଯାଇଛି।
କଣ ରହିଛି ସରକାରଙ୍କ ପ୍ରସ୍ତୁତି?
ଅଲ୍ ନିନୋ ଯୋଗୁଁ ମୌସୁମୀ ବର୍ଷାରେ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି, ଯାହାକୁ ଦୃଷ୍ଟିରେ ରଖି ସରକାର କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ଗଠନ କରିଛନ୍ତି। ଏଥିରେ ବିପର୍ଯ୍ୟୟ ପରିଚାଳନା ଏବଂ ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କୁ ସାମିଲ କରାଯାଇଛି। ପାଣିପାଗ ଓ ଫସଲର ନିରୀକ୍ଷଣ ପାଇଁ 'ୱେଦର ୱାଚ୍ ଗ୍ରୁପ୍' ରହିଛି, ଯାହା ପ୍ରତି ସପ୍ତାହରେ ବୈଠକ କରି ସ୍ଥିତି ଉପରେ ନଜର ରଖିବ ଏବଂ ରିପୋର୍ଟ ପ୍ରସ୍ତୁତ କରିବ। ଏହା ସହିତ ପାଣିପାଗ, ବିହନ ବୁଣା, ବିହନର ଉପଲବ୍ଧତା ଏବଂ ଜଳାଶୟଗୁଡ଼ିକରେ ଜଳର ଉପଲବ୍ଧତା ଉପରେ ମଧ୍ୟ ନଜର ରଖାଯାଉଛି।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିକଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ଜିଲ୍ଲା ସ୍ତରୀୟ ଆକସ୍ମିକ ଯୋଜନାଗୁଡ଼ିକୁ ତୁରନ୍ତ ଲାଗୁ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ବିଶ୍ୱ ପାଣିପାଗ ସଂଗଠନ (WMO) ଦ୍ୱାରା ମୌସୁମୀ ପ୍ରଭାବିତ (କମ୍ ବର୍ଷା) ହେବାର ଆଶଙ୍କା ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ରଣନୀତି ଉପରେ କାମ କରିବା ଆରମ୍ଭ କରିଛନ୍ତି।
ଦେଶର ୨୪୦ରୁ ଅଧିକ ଜିଲ୍ଲା ପାଇଁ କଣ୍ଟିଜେନ୍ସି ପ୍ଲାନ ଲାଗୁ କରାଯାଇଛି। ନ୍ୟାସନାଲ୍ ବିହନ ରିଜର୍ଭରେ ଅତିରିକ୍ତ ବିହନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଚାଷୀମାନଙ୍କୁ ସମୟ ସମୟରେ ମୌସୁମୀ ସମ୍ପର୍କିତ ସୂଚନା ଦିଆଯିବ ଏବଂ ମରୁଡ଼ି ସହ୍ୟ କରିପାରୁଥିବା (Drought-resilient) ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଇଛି।
କଣ ରହିଛି ଆକ୍ସନ ପ୍ଲାନ?
1. କମ୍ ପାଣି ଆବଶ୍ୟକ କରୁଥିବା ବିହନ ବଣ୍ଟନ: ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମରୁଡ଼ି ସହ୍ୟ କରିପାରୁଥିବା ଏବଂ କମ୍ ସମୟ ମଧ୍ୟରେ ଅମଳ ହେଉଥିବା ଫସଲର ବିହନ ଉପଲବ୍ଧତା ସୁନିଶ୍ଚିତ କରାଯାଉଛି।
2. ଫସଲ ନିରୀକ୍ଷଣ ସମୂହ: ଫସଲର ସ୍ଥିତି ଉପରେ ସୂକ୍ଷ୍ମ ନଜର ରଖିବା ପାଇଁ ବିଶେଷ ଫସଲ ନିରୀକ୍ଷଣ ଗ୍ରୁପ୍ ଗଠନ କରାଯାଇଛି।
3. ବୈକଳ୍ପିକ ଫସଲ ଯୋଜନା: ଯଦି ମୁଖ୍ୟ ଖରିଫ ଫସଲ (ଯେପରିକି ଧାନ) ବୁଣିବାରେ ବିଳମ୍ବ ହୁଏ, ତେବେ ଚାଷୀଙ୍କୁ ଜିଲ୍ଲା ସ୍ତରରେ ବୈକଳ୍ପିକ ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଉଛି।
4. ପୋକଜୋକରୁ ସୁରକ୍ଷା: ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଫସଲରେ ପୋକ କିମ୍ବା ରୋଗ ବଢ଼ିବାର ଆଶଙ୍କାକୁ ଦେଖି ପୂର୍ବରୁ ଔଷଧ ଏବଂ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।
ଜଳ ଏବଂ ସମ୍ବଳ ପରିଚାଳନା
• ମାଟିର ଆଦ୍ରତା ସଂରକ୍ଷଣ: ଗ୍ରାମ୍ୟ ଉନ୍ନୟନ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଜମିରେ ପୋଖରୀ ଏବଂ ସ୍ଥାନୀୟ ଉପାୟରେ ମାଟିର ଆଦ୍ରତା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।
• ଜଳାଶୟଗୁଡ଼ିକର ବୈଜ୍ଞାନିକ ଉପଯୋଗ: ଯେଉଁଠାରେ ବନ୍ଧ କିମ୍ବା ଜଳାଶୟରେ ପାଣି ଉପଲବ୍ଧ ଅଛି, ସେଠାରେ ତାହାର ବ୍ୟବହାର ଅତ୍ୟନ୍ତ ସନ୍ତୁଳିତ ଏବଂ ପ୍ରାଥମିକତା ଭିତ୍ତିରେ ଫସଲ ବଞ୍ଚାଇବା ପାଇଁ କରାଯିବ।
ଭାରତ ଉପରେ ଅଲ୍ ନିନୋର କଣ ପ୍ରଭାବ?
ସୂଚନାଯୋଗ୍ୟ ଯେ, ଅଲ୍ ନିନୋର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଥାଏ। କେଉଁଠି ମରୁଡ଼ି ପଡ଼େ ତ କେଉଁଠି ପ୍ରବଳ ବର୍ଷା ହୁଏ। କିଛି ସ୍ଥାନରେ ଗରମ ବଢ଼ିଯାଏ ତ କିଛି ସ୍ଥାନରେ ଶୀତ କମିଯାଏ। ଅର୍ଥାତ୍ ପାଣିପାଗର ସନ୍ତୁଳନ ବିଗିଡ଼ିଯାଏ। ଭାରତ ଉପରେ ଅଲ୍ ନିନୋର ପ୍ରଭାବ ବିଶେଷ କରି ମୌସୁମୀ ଉପରେ ପଡ଼ିଥାଏ। ଭାରତର ଚାଷ କାର୍ଯ୍ୟ ଏବଂ ଜଳର ଆବଶ୍ୟକତା ପାଇଁ ମୌସୁମୀ ଅତ୍ୟନ୍ତ ଜରୁରୀ। ଅଲ୍ ନିନୋ ସମୟରେ ପ୍ରାୟତଃ ମୌସୁମୀ ଦୁର୍ବଳ ହୋଇଯାଏ ଏବଂ ବର୍ଷା କମ୍ ହୁଏ। ଏହାଦ୍ୱାରା ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇପାରେ, ଜମିରେ ଫସଲ ନଷ୍ଟ ହୋଇପାରେ ଏବଂ ଜଳାଭାବ ଦେଖାଦେଇପାରେ। ଏହି ସବୁ ଦିଗକୁ ଧ୍ୟାନରେ ରଖି ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ଏବଂ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ତଥା ଫସଲ-ପାଣିପାଗ ନିରୀକ୍ଷଣ ଗ୍ରୁପ୍ ଗଠନ କରିଛନ୍ତି।