କୋଲକାତା: ଲୋକସଭା ସାଂସଦ ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ମୁସ୍କିଲ ବଢିବାରେ ଲାଗିଛି । ସଦ୍ୟତମ ଖବର ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ତଲବ କରିଛନ୍ତି । ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କାର୍ଯ୍ୟାନୁଷ୍ଠାନ ସେହି ସମୟରେ ହେଉଛି ଯେତେବେଳେ ଟିଏମସିର ସାଧାରଣ ସଂପାଦକ ସିଗ୍ନେଚର କାଣ୍ଡରେ ଫସିଛନ୍ତି ଏବଂ ତାଙ୍କୁ ସିଆଇଡି ପଚରା ଉଚୁରା କରୁଛି ।
ଜୁନ ୧୫ରେ ହାଜର ହେବାକୁ ତଲବ
ଇଡି ଅଭିଷେକଙ୍କୁ ସମନ ଜାରି କରି ଜୁନ ୧୫ରେ ହାଜର ହେବାକୁ କହିଛି । ଏହା ପୂର୍ବରୁ ଇଡିର ଏକ ଟିମ୍ ବୁଧବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାରେ ଅଭିଷେକଙ୍କ କାଲିଘାଟ ରୋଡ୍ ସ୍ଥିତ ବାସଭବନ ଯାଇ ଜଣେ କର୍ମଚାରୀଙ୍କୁ ସମନ ଧରାଇ ଆସିଛି । ଏହି ସମୟରେ ଘରେ ଅଭିଷେକ ବାନାର୍ଜୀ ନ ଥିଲେ ।
ଡାଇମଣ୍ଡ ହାର୍ବରର ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କୁ ସଲ୍ଟ ଲେକ ସ୍ଥିତ ସିଜିଓ କମ୍ପେ୍ଲକ୍ସ କାର୍ଯ୍ୟାଳୟରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଡି ୨୦୨୨ରୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାର ତଦନ୍ତ କରୁଛି । ଏଜେନ୍ସି ଏହି ମାମଲାରେ ଟିଏମସି ନେତାଙ୍କ ସଂପର୍କିତ ବାସଭବନ ଓ ଠିକଣା ଉପରେ ଚଢଉ କରିଛି । ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହିତ ଅନେକ ବଡ ନେତାଙ୍କୁ ଗିରଫ କରାଯାଇଛି ।
ଘରର ସୁରକ୍ଷା ହଟାଇଲେ
ଖାସ୍ କଥା ବୁଧବାର ହିଁ କାଲିଘାଟ ପୋଲିସ ଷ୍ଟେସନ ଅଭିଷେକ ବାନାର୍ଜୀଙ୍କ ଘର ବାହାରେ ମୁତୟନ ସୁରକ୍ଷା ହଟାଇ ନେଇଛନ୍ତି । ଏଥିରେ ପୋଲିସ କିୟୋସ୍କ, ବ୍ୟାରିକେଟ, ସ୍କାନର ଏବଂ ଅନ୍ୟ ଉପକରଣ ସାମିଲ୍ । ଏହା ପୂର୍ବରୁ ଘର ବାହାରେ ଲାଗିଥିବା ସୁରକ୍ଷା ରେଲକୁ ମଧ୍ୟ ହଟାଇ ଦିଆଯାଇଥିଲା ।