କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗରେ ଥାର୍ଡ଼ ଡିଗ୍ରୀ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ତୀବ୍ର ହୋଇଛି। ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅବକାରୀ ଏସଆଇ ଛାୟାକାନ୍ତ ନାୟକଙ୍କୁ ତାଙ୍କ ବର୍ତ୍ତମାନ ପଦରୁ ହଟାଇ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହାସହ ତାଙ୍କ ବିରୋଧରେ ରାଜନଗର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ସୂଚନା ଅନୁସାରେ, ଚୋରା ମଦ କାରବାର ଉପରେ ଚଢ଼ାଉ ବେଳେ ଘଟିଥିବା ଏକ ଘଟଣାକୁ କେନ୍ଦ୍ର କରି ଏହି ବିବାଦ ଆରମ୍ଭ ହୋଇଥିଲା। ସ୍ଥାନୀୟ ଯୁବକ ବିନୋଦ ଦାସ ଅଭିଯୋଗ କରିଛନ୍ତି ଯେ, ଚଢ଼ାଉ ସମୟରେ ସେ ଭିଡିଓ ଉତ୍ତୋଳନ କରୁଥିବାରୁ ଅବକାରୀ ଅଧିକାରୀମାନେ ତାଙ୍କୁ ଜବରଦସ୍ତି ଗାଡ଼ିରେ ବସାଇ ନେଇଥିଲେ। ପରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଇଥିବା ସହ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସାମାଜିକ ଓ ରାଜନୈତିକ ମହଳରେ ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରଥମ ପଦକ୍ଷେପ ଭାବେ ସମ୍ପୃକ୍ତ ଏସଆଇଙ୍କୁ ବଦଳି କରାଯାଇଛି।
ଘଟଣା ପରେ ଆଇନ ପ୍ରୟୋଗକାରୀ ସଂସ୍ଥାର କାର୍ଯ୍ୟପ୍ରଣାଳୀ ଏବଂ ସାଧାରଣ ଲୋକଙ୍କ ସହ ବ୍ୟବହାରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତଦନ୍ତରେ କଣ ସତ୍ୟ ସାମ୍ନାକୁ ଆସୁଛି ଓ ଅଭିଯୋଗରେ କେତେ ଦମ୍ ରହିଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏବେ ଅଞ୍ଚଳବାସୀ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।