ଟିଟିଲାଗଡ଼: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି। ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି ଓ ଅନ୍ୟାନ୍ୟ ମୂଲ୍ୟବାନ ଅସବାବ ପତ୍ରରେ ନିଆଁ ଲାଗିଯାଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ବ୍ୟବସାୟୀଙ୍କ ଘର ଓ ଗୋଦାମରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଛି। ଏହି ଘଟଣା ଟିଟିଲାଗଡ଼ ସହରର ୧୨ ନମ୍ବର ୱାର୍ଡ ପଦ୍ମନାଭପୁର ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ସନ୍ତୋଷ ସାହୁଙ୍କ ଘର ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଘରର ଏସି ଆସିଯାଇଥିଲା। ଏହା ପରେ ହଠାତ୍ ଏସିରେ ବିସ୍ଫୋରଣ ଘଟିଥିଲା ଏବଂ ନିଆଁ ଲାଗିଯାଇଥିଲା। କେବଳ କିଛି ମିନିଟ୍ ମଧ୍ୟରେ ନିଆଁ ଘରର ବିଭିନ୍ନ ଅଂଶକୁ ବ୍ୟାପି ଯାଇଥିଲା।
ଘର ସହ ଲାଗିଥିବା ଗୋଦାମରେ ସନ୍ତୋଷ ସାହୁଙ୍କ ପେଣ୍ଟ ବ୍ୟବସାୟ ପାଇଁ ବ୍ୟବହୃତ ବିଭିନ୍ନ ରାସାୟନିକ ସାମଗ୍ରୀ ମହଜୁଦ ଥିଲା। ନିଆଁ ସେଠାରେ ପହଞ୍ଚିବା ପରେ ପରିସ୍ଥିତି ଆହୁରି ଭୟାବହ ହୋଇଯାଇଥିଲା। ରାସାୟନିକ ପଦାର୍ଥ ଥିବାରୁ ନିଆଁ ଖୁବ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ ଗୋଦାମରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା।
ଏହି ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଏକ ଚାରିଚକିଆ ଗାଡ଼ି ସହ ବହୁ ମୂଲ୍ୟବାନ ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଘରେ ଥିବା ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବାରୁ ବଡ଼ ଧରଣର ଅଘଟଣ ଟଳିଯାଇଛି।
ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁ ଲିଭା କାମ କରିଥିଲେ। ବହୁ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା।
ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ତ୍ରୁଟି କିମ୍ବା ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କ୍ଷୟକ୍ଷତିର ପରିମାଣ ଆକଳନ କରାଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।