ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ ଜଗତରେ ହଲଚଲ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀ ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଆଇପିଏଲ୍ (IPL 2026) ମ୍ୟାଚ୍ରେ ଦମଦାର ପ୍ରଦର୍ଶନ ଏବଂ ବିଜ୍ଞାପନ ଜରିଆରେ ସେ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇ ସାରିଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧ କୋଟି ଟଙ୍କାରେ କିଣିଥିବା ବେଳେ ସେ ମ୍ୟାଚ୍ ଫି ଏବଂ ପୁରସ୍କାର ବାବଦକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି କି, ଜଣେ ୧୮ ବର୍ଷରୁ କମ୍ ବୟସର ନାବାଳକ କୋଟି କୋଟି ଟଙ୍କା ରୋଜଗାର କଲେ, ଭାରତୀୟ ଆୟକର ନିୟମ ଅନୁଯାୟୀ ତାଙ୍କ ଉପରେ ଟ୍ୟାକ୍ସ କେମିତି ଲାଗିଥାଏ?
ନାବାଳକଙ୍କ ପାଇଁ ଆୟକର ନିୟମ କଣ ?
ସାଧାରଣତଃ ଭାରତୀୟ ଆୟକର ଅଧିନିୟମର ଧାରା 64(1A) ଅନୁଯାୟୀ, ଜଣେ ନାବାଳକର ଆୟକୁ ତାଙ୍କ ପିତାମାତାଙ୍କ ଆୟ ସହ ଯୋଡ଼ାଯାଇଥାଏ । ପିତା କିମ୍ବା ମାତାଙ୍କ ମଧ୍ୟରୁ ଯାହାଙ୍କର ବାର୍ଷିକ ଆୟ ଅଧିକ, ନାବାଳକ ସନ୍ତାନର ଆୟ ସେଥିରେ ମିଶିଯାଏ ଏବଂ ସେହି ଅନୁସାରେ ଟ୍ୟାକ୍ସ ଲାଗେ। ଯଦି ନାବାଳକର ଆୟ ବାର୍ଷିକ ୧,୫୦୦ ଟଙ୍କାରୁ କମ୍ ହୋଇଥାଏ, ତେବେ ଧାରା 10(32) ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଛାଡ଼ ହୋଇଥାଏ।
ବୈଭବଙ୍କ କ୍ଷେତ୍ରରେ ନିୟମ କାହିଁକି ଅଲଗା ?
ଆୟକର ନିୟମରେ ଏକ ବଡ଼ ବ୍ୟତିକ୍ରମ ବା ରିହାତି ରହିଛି। ଯଦି କୌଣସି ନାବାଳକ ନିଜର ବ୍ୟକ୍ତିଗତ ଦକ୍ଷତା, ପ୍ରତିଭା, ଜ୍ଞାନ କିମ୍ବା ଶାରୀରିକ ପରିଶ୍ରମ ମାଧ୍ୟମରେ ଟଙ୍କା ରୋଜଗାର କରେ, ତେବେ ସେହି ଆୟ ପିତାମାତାଙ୍କ ଆୟ ସହ ମିଶେ ନାହିଁ।
ନିଜ ନାମରେ ଟ୍ୟାକ୍ସ
ବୈଭବ ନିଜ କ୍ରିକେଟ ଖେଳିବା ଦକ୍ଷତା ଏବଂ ପ୍ରତିଭା ବଳରେ ଏହି ଅର୍ଥ ରୋଜଗାର କରୁଛନ୍ତି। ତେଣୁ ତାଙ୍କ ଆୟ ପିତାମାତାଙ୍କ ଆକାଉଣ୍ଟରେ ଯୋଡ଼ା ନଯାଇ, ସିଧାସଳଖ ବୈଭବଙ୍କ ନାମରେ ହିଁ ଟ୍ୟାକ୍ସ ହିସାବ କରାଯିବ। ବୈଭବ ନାବାଳକ ହୋଇଥିବାରୁ ସେ ନିଜେ ଆଇଟିଆର (ITR) ଦାଖଲ କରିପାରିବେ ନାହିଁ। ତାଙ୍କ ବଦଳରେ ତାଙ୍କ ପିତା କିମ୍ବା ଆଇନଗତ ଅଭିଭାବକ ପ୍ରତିନିଧି ସାଜି ତାଙ୍କ ନାମରେ ଆୟକର ରିଟର୍ଣ୍ଣ ଦାଖଲ କରିବେ।
ପୁରସ୍କାର ରାଶି ଏବଂ ଗାଡ଼ି ଉପରେ ଫ୍ଲାଟ୍ ୩୦% ଟ୍ୟାକ୍ସ
ଆଇପିଏଲ୍ରେ ମିଳିଥିବା ମ୍ୟାଚ୍ ଫି ବ୍ୟତୀତ ବୈଭବଙ୍କୁ ବିଭିନ୍ନ ପୁରସ୍କାର ବାବଦରେ ନଗଦ ଟଙ୍କା ଏବଂ ଏକ ଦାମୀ SUV କାର୍ ମଧ୍ୟ ମିଳିଛି। ଆୟକର ନିୟମ ଅନୁଯାୟୀ, ଯେକୌଣସି ଖେଳ କିମ୍ବା ଗେମ୍ ଶୋ’ରୁ ମିଳୁଥିବା ପୁରସ୍କାର ରାଶି ଉପରେ ସିଧାସଳଖ ୩୦% ଫ୍ଲାଟ୍ ଟ୍ୟାକ୍ସ (ସହ ୪% Cess) ଲାଗିଥାଏ। ଏଥିରେ କୌଣସି ପ୍ରକାରର ରିହାତି ମିଳେନାହିଁ। ଉପହାର ବା ପୁରସ୍କାର ଆକାରରେ ମିଳିଥିବା କାର୍ର ବଜାର ମୂଲ୍ୟକୁ ମଧ୍ୟ ଆୟ ଭାବେ ଗଣନା କରାଯାଇ ତା’ ଉପରେ ୩୦% ଟ୍ୟାକ୍ସ ଆଦାୟ କରାଯିବ। ଟ୍ୟାକ୍ସ ବାବଦ ଅର୍ଥ ପୈଠ ନକରିବା ପର୍ଯ୍ୟନ୍ତ ଗାଡ଼ିର ଡେଲିଭରି ମିଳିବା ଅସମ୍ଭବ।
କହିବାକୁ ଗଲେ, ବୈଭବ ସୂର୍ଯ୍ୟବଂଶୀ କମ୍ ବୟସରେ କୋଟିପତି ହୋଇଥିଲେ ମଧ୍ୟ ଜଣେ ସାଧାରଣ ନାଗରିକଙ୍କ ଭଳି ତାଙ୍କୁ ନିଜ ପ୍ରତିଭାରୁ ମିଳିଥିବା ଆୟ ଉପରେ ନିୟମିତ ଟ୍ୟାକ୍ସ ସ୍ଲାବ୍ ଏବଂ ପୁରସ୍କାର ଉପରେ ୩୦% ଟ୍ୟାକ୍ସ ଦେବାକୁ ପଡ଼ିବ।