ନୂଆଦିଲ୍ଲୀ: ଦିଲ୍ଲୀର ମାଲଭୀୟ ନଗରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୧ ଜଣଙ୍କ ପ୍ରାଣହାନି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଦୁର୍ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଏବଂ ଆହତମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବୟାନ ଅନୁଯାୟୀ, ପ୍ରଧାନମନ୍ତ୍ରୀ କହିଛନ୍ତି ଦିଲ୍ଲୀର ମାଲଭୀୟ ନଗର ଅଗ୍ନିକାଣ୍ଡରେ ନିରୀହ ଲୋକଙ୍କ ଜୀବନ ଯିବା ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଭାବିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି।
ପିଏମ୍ ରିଲିଫ୍ ଫଣ୍ଡରୁ ମିଳିବ ଆର୍ଥିକ ସହାୟତା
ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି (PMNRF) ରୁ ଏହି ଦୁର୍ଘଟଣାର ଶିକାର ହୋଇଥିବା ପରିବାରକୁ ସାହାଯ୍ୟ ପ୍ରଦାନ କରାଯିବ। ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨-୨ ଲକ୍ଷ ଟଙ୍କା ଏବଂ ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ୫୦,୦00 ଟଙ୍କା ଲେଖାଏଁ ସହାୟତା ରାଶି ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ଲୋକସଭା ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ
ଏହି ବଡ଼ ଅଘଟଣକୁ ନେଇ ଦେଶର ବାଚସ୍ପତି ଓମ୍ ବିର୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ, ମାଲଭୀୟ ନଗରର ଭୀଷଣ ଅଗ୍ନିକାଣ୍ଡରେ ହୋଇଥିବା ଜୀବନହାନି ଅତ୍ୟନ୍ତ ଆଘାତଦାୟକ। ଅସମୟରେ ନିଜ ଲୋକଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଏହି ଅସହ୍ୟ ଦୁଃଖ ସହିବାର ଶକ୍ତି ଦିଅନ୍ତୁ ଏବଂ ଦିବଙ୍ଗତ ଆତ୍ମାର ସଦ୍ଗତି ହେଉ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି। ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ମନକୁ ବ୍ୟଥିତ କରିଦେଇଛି। ସେ ମୃତକଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇବା ସହ ହସ୍ପିଟାଲରେ ଭର୍ତ୍ତି ଥିବା ସମସ୍ତ ଆହତଙ୍କ ଶୀଘ୍ର ସ୍ୱାସ୍ଥ୍ୟଲାଭ ପାଇଁ ପ୍ରାର୍ଥନା କରିଛନ୍ତି।
ସୂଚନାଯୋଗ୍ୟ, ମାଲଭୀୟ ନଗରର ଉକ୍ତ ରେଷ୍ଟୁରାଣ୍ଟରେ ହଠାତ୍ ନିଆଁ ଲାଗିଯିବା ଫଳରେ ସେଠାରେ ଉପସ୍ଥିତ ଲୋକମାନେ ବାହାରକୁ ବାହାରି ପାରିନଥିଲେ, ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।