ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ଟି-୨୦ ବିଶ୍ୱକପ୍ ଜିତିବାର ମାତ୍ର ୩ ମାସ ପରେ ଅଧିନାୟକ ପଦ ହରାଇଛନ୍ତି ସୂର୍ଯ୍ୟକୁମାର ଯାଦବ। କେବଳ ଅଧିନାୟକ ନୁହେଁ ବରଂ ଆଗାମୀ ଦିନରେ ଦଳର ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସ୍ଥାନ ମିଳିବା ମୁସ୍କିଲ ବୋଲି ଜଣାପଡ଼ିଛି। ବିସିସିଆଇ ଆଗାମୀ ଟି-୨୦ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି।ସୂର୍ଯ୍ୟଙ୍କ ସ୍ଥାନରେ ନୂଆ ଅଧିନାୟକ ନିଯୁକ୍ତି କରିବାକୁ ଯାଉଛି ବୋର୍ଡ। ଦୌଡ଼ରେ ଶ୍ରେୟସ ଆୟରଙ୍କୁ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କରାଯିବା ସମ୍ଭାବନା ଅଧିକ ରହିଛି। ଚଳିତ ଜୁନ୍ ମାସ ଶେଷ ଆଡ଼କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି ଏହି ବଡ଼ ପଦକ୍ଷେପ ନେଇଛି ବୋର୍ଡ।
କାହିଁକି ବାଦ୍ ପଡ଼ିଲେ ବିଶ୍ଵ ବିଜେତା ଅଧିନାୟକ
ଗତ ମାର୍ଚ୍ଚ ମାସରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱକପ୍ ଟ୍ରଫି ଟେକିଥିଲା। କିନ୍ତୁ ଗତ ଦୁଇ ବର୍ଷ ଧରି ତାଙ୍କର ଖରାପ ଫର୍ମ ବିସିସିଆଇ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ଆଇପିଏଲ୍ ୨୦୨୬ ସିଜନରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୩ଟି ଇନିଂସ ଖେଳି ମାତ୍ର ୨୭୦ ରନ୍ କରିଥିଲେ, ଯେଉଁଥିରେ ତାଙ୍କର ବ୍ୟାଟିଂ ଆଭରେଜ୍ ମାତ୍ର ୨୦.୭୬ ରହିଥିଲା। ତାଙ୍କର ବୟସ ୩୫ ବର୍ଷ ଏବଂ ବାରମ୍ବାର ହେଉଥିବା ଆହତ ସମସ୍ୟାକୁ ଦେଖି ଚୟନ କମିଟି ଆଗାମୀ ଭବିଷ୍ୟତ ପାଇଁ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରୁଛି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା କରିବା ପରେ ବୋର୍ଡ ନୂଆ ଯୁବ ଟିମ୍ ଗଠନ ଦିଗରେ କାମ ଆରମ୍ଭ କରିଦେଇଛି।
ଶ୍ରେୟସ ଆୟରଙ୍କ ହାତକୁ ଯିବ ଦଳର ଅଧିନାୟକ ଦାୟିତ୍ଵ
ସୂର୍ଯ୍ୟକୁମାରଙ୍କ ବିକଳ୍ପ ଭାବେ ବରିଷ୍ଠ ବ୍ୟାଟର ଶ୍ରେୟସ ଆୟର ସବୁଠାରୁ ଆଗରେ ରହିଛନ୍ତି। ଆଇପିଏଲରେ ନିଜର ଦକ୍ଷ ଅଧିନାୟକତ୍ଵ ଏବଂ ମଧ୍ୟକ୍ରମରେ ଚମତ୍କାର ପ୍ରଦର୍ଶନ ବଳରେ ସେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଟି-୨୦ ଦଳର ନୂଆ ନେତା ଭାବେ ଦାୟିତ୍ୱ ଦେବାକୁ ପୂରା ପ୍ରସ୍ତୁତ ଅଛି।
ତିଳକ ବର୍ମା ଏବଂ ଈଶାନ କିଷାନଙ୍କୁ ମିଳିବ ବଡ଼ ଦାୟିତ୍ୱ?
ରିପୋର୍ଟ ମୁତାବକ, ଦଳରୁ କେବଳ ସୂର୍ଯ୍ୟକୁମାର ନୁହନ୍ତି, ବରଂ ଶୁଭମନ ଗିଲ୍ ମଧ୍ୟ କିଛି ସମୟ ପାଇଁ ବାଦ୍ ପଡ଼ିପାରନ୍ତି। ଏଭଳି ସ୍ଥିତିରେ ଦଳର ଉପ-ଅଧିନାୟକ ପଦ ପାଇଁ ଯୁବ ତାରକା ତିଳକ ବର୍ମା କିମ୍ବା ୱିକେଟକିପର ବ୍ୟାଟର ଈଶାନ କିଷାନଙ୍କ ନାମକୁ ନେଇ ବିଚାର କରୁଛି ବୋର୍ଡ।
ଏସୀୟ କ୍ରୀଡ଼ାରୁ ମଧ୍ୟ ବାଦ୍ ପଡ଼ିଲେ ସୂର୍ଯ୍ୟ!
ଆଗାମୀ ଏସୀୟ କ୍ରୀଡ଼ା ପାଇଁ ବିସିସିଆଇ ଯେଉଁ ୩୦ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଛି, ସେଥିରୁ ମଧ୍ୟ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡ଼ିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଭାରତୀୟ ଟି-୨୦ କ୍ରିକେଟରୁ ଏବେ ସୂର୍ଯ୍ୟଙ୍କ ଯୁଗ ଶେଷ ହେବାକୁ ଯାଉଛି ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏକ ନୂଆ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇବ। ଆଗାମୀ ଆୟରଲାଣ୍ଡ ଗସ୍ତରେ ଭାରତୀୟ ଦଳ ୨ଟି ଟି-୨୦ ଏବଂ ଇଂଲଣ୍ଡ ଗସ୍ତରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ, ଯେଉଁଠି ଏହି ନୂଆ ଦଳର ଝଲକ ଦେଖିବାକୁ ମିଳିବ।