କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ବଦଳିବା ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ରାଜ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବା ମାତ୍ରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା 'ବେଙ୍ଗଲ ଟାଇଗର' ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ କାଟଛାଣ୍ଟ କରାଯାଇଛି। ମମତା ବାନାର୍ଜୀଙ୍କ ସରକାର ସମୟରେ ଗାଙ୍ଗୁଲିଙ୍କୁ ମିଳିଥିବା ଜେଡ୍ ଶ୍ରେଣୀର ସୁରକ୍ଷାକୁ ଏବେ ହ୍ରାସ କରାଯାଇ ଓ୍ଵାଇ ଶ୍ରେଣୀକୁ ଖସାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ସୁରକ୍ଷା ସମୀକ୍ଷା କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ମମତା ସରକାରରେ ମିଳିଥିଲା ଭିଆଇପି ସୁରକ୍ଷା
ପୂର୍ବରୁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସୌରଭ ଗାଙ୍ଗୁଲିଙ୍କୁ 'ଜେଡ' କ୍ୟାଟେଗୋରୀର ଭିଆଇପି ସୁରକ୍ଷା ପ୍ରଦାନ କରିଥିଲେ। ଏହି ସୁରକ୍ଷା ବ୍ୟବସ୍ଥା ଅଧୀନରେ ଗାଙ୍ଗୁଲିଙ୍କ ସହ ସର୍ବଦା ୧୬ରୁ ୧୭ ଜଣ ସଶସ୍ତ୍ର ପୋଲିସ କମାଣ୍ଡୋ ମୁତୟନ ରହୁଥିଲେ। ଏହାସହ ତାଙ୍କ କାରକେଡ୍ରେ ପାଇଲଟ୍ ଗାଡ଼ି ଏବଂ ଏସକର୍ଟ ଗାଡ଼ି ମଧ୍ୟ ସାମିଲ ରହୁଥିଲା। ଏପରିକି ତାଙ୍କ କୋଲକାତାର ବେହାଲାସ୍ଥିତ ବାସଭବନରେ ପ୍ରାୟ ୪ ରୁ ୫ ଜଣ ପୋଲିସ କର୍ମଚାରୀ ସବୁବେଳେ ମୁତୟନ ରହି ପହରା ଦେଉଥିଲେ।
ଏବେ କେମିତି ରହିବ 'ଦାଦା'ଙ୍କ ସୁରକ୍ଷା?
ସୁରକ୍ଷା ହ୍ରାସ ପାଇ 'ଓ୍ଵାଇ' ଶ୍ରେଣୀର ହେବା ପରେ ଏବେ ଗାଙ୍ଗୁଲିଙ୍କ ସୁରକ୍ଷା ପରିଧି ଛୋଟ ହୋଇଛି। ନୂଆ ନିୟମ ଅନୁଯାୟୀ ଗାଙ୍ଗୁଲିଙ୍କ ସୁରକ୍ଷାରେ ଏବେ ମାତ୍ର ୨ ରୁ ୩ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ରହିବେ। ତାଙ୍କ ଘର ସୁରକ୍ଷା ପାଇଁ ପୂର୍ବ ଅପେକ୍ଷା କମ୍ ପୋଲିସ ମୁତୟନ ହେବେ। ତାଙ୍କ ଗସ୍ତ ସମୟରେ ମିଳୁଥିବା ସ୍ୱେଶାଲ ଏସକର୍ଟ ଗାଡ଼ି ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି।
ନିଷ୍ପତ୍ତି ପଛର କାରଣ କଣ ?
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନୂଆ ସରକାର ଆସିବା ପରେ ସମସ୍ତ ଭିଆଇପି ଏବଂ ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯାଉଛି। କାହା ପ୍ରତି କେତେ ବିପଦ ରହିଛି ତାହାକୁ ଆଧାର କରି ସୁରକ୍ଷା ଦିଆଯାଉଛି। ଗାଙ୍ଗୁଲିଙ୍କ ପ୍ରତି କୌଣସି ପ୍ରତ୍ୟକ୍ଷ ବିପଦ ନଥିବାରୁ ତାଙ୍କ ସୁରକ୍ଷା କମାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।