ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମା ଆଗାମୀ ଦିନରେ କଣ ଦିନିକିଆ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିବେ । କୁହାଯାଉଛି ଦୁହିଁଙ୍କ ଲକ୍ଷ୍ୟ ୨୦୨୭ ଦିନିିକିଆ ବିଶ୍ୱକପରେ ଭାରତକୁ ଚାମ୍ପିଅନ କରାଇବା । ତେବେ ପ୍ରଶ୍ନ ଉଠୁଛି କଣ ଦୁଇ ତାରକା ବ୍ୟାଟର ଆଉ କେତେ ଦିନ ପର୍ଯ୍ୟନ୍ତ ଖେଳି ପାରିବେ । ବିଶ୍ୱକପ୍ ଖେଳିବେ କି ନାହିଁ ତାହା ଭିନ୍ନ ପ୍ରସଙ୍ଗ । ବର୍ତ୍ତମାନ ଉଭୟ ଦିନିକିଆ ଖେଳିବେ କି ନାହିଁ ତାକୁ ନେଇ ବିସିସିଆଇ ବଡ ଅପଡେଟ୍ ଦେଇଛି । ବୋର୍ଡର ଉପସଭାପତି ରାଜୀବ ଶୁକ୍ଳା ବିରାଟ ଓ ରୋହିତଙ୍କ ଦିନିକିଆ ଭବିଷ୍ୟତ ଉପରେ ଲାଗି ରହିଥିବା ଅନିଶ୍ଚିତତାର ବାଦଲକୁ ହଟାଇ ଦେଇଛନ୍ତି ।
ଶୁକ୍ଳା ଏଏନଆଇ ସହ ଆଲୋଚନା ବେଳେ ସ୍ପଷ୍ଟ କରିଛନ୍ତି ଯେ, ଟେଷ୍ଟ ଓ ଟି-୨୦ରୁ ସନ୍ନ୍ୟାସ ନେଇ ସାରିଥିବା ଏହି ଦୁଇ ଖେଳାଳି ଦିନିକିଆ ମ୍ୟାଚ୍ ପାଇଁ ଦଳରେ ଉପଲବ୍ଧ ରହିବେ । ଆମକୁ ଦୁଇ ଖେଳାଳିଙ୍କ ଅନୁପସ୍ଥିତି ସର୍ବଦା ଅନୁଭୂତ ହେବ । ଦୁହେଁ ମହାନ ବ୍ୟାଟର ଏବଂ ଆମ ପାଇଁ ଭଲ ଖବର ଯେ ବିରାଟ ଓ ରୋହିତ ଦିନିକିଆ ପାଇଁ ଦଳରେ ଉପଲବ୍ଧ ଅଛନ୍ତି ।
ଶୁକ୍ଳାଙ୍କ ଏହି ବୟାନ ପରେ ଏହି ଆଶା ବଢି ଯାଇଛି ଯ, କୋହଲି ଓ ରୋହିତ ୨୦୨୭ରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଦଳର ପ୍ରତିନିଧିତ୍ୱ କରି ପାରନ୍ତି । ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡରେ ୫ ମ୍ୟାଚର ଟେଷ୍ଟ ସିରିଜ୍ ଖେଳୁଛି । ଏହା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦଳ ଘରୋଇ ମାଟିରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଉକ୍ତ ସିରିଜ ପରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିିକିଆ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ । ଆଶା କରାଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଉଭୟ ରୋହିତ ଓ ବିରାଟଙ୍କୁ ଦଳରେ ଦେଖିବାକୁ ମିଳିପାରେ ।