ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତ ପାଖରେ ଆଉ କେବଳ ଗୋଟିଏ ଟି୨୦ ସିରିଜ୍ ବାକି ଅଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ସିରିଜ୍ ଶୁକ୍ରବାର ଶେଷ ହେଉଛି। ଏହା ପରେ ଟିମ୍ ଇଣ୍ଡିଆ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ। ତେବେ ସମ୍ଭବତଃ ଏହି ସପ୍ତାହରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି ।୧୫ ଜଣିଆ ଦଳରେ କେଉଁ ଖେଳାଳି ସ୍ଥାନ ପାଇପାରିବେ ତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ରହିଛି ।
ରିପୋର୍ଟ ଅନୁଯାୟୀ, ପୁରୁଷ କ୍ରିକେଟ୍ ଚୟନ କମିଟି ଶନିବାର, ଡିସେମ୍ବର ୨୦ ତାରିଖରେ ବୈଠକ କରିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଏବଂ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବ। ଶନିବାର ହିଁ ଦଳ ଘୋଷଣା କରାଯାଇପାରେ।
ସୂଚନାଯୋଗ୍ୟ ସମସ୍ତ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାର ଅତି କମରେ ଗୋଟିଏ ମାସ ପୂର୍ବରୁ ସେମାନଙ୍କର ଦଳ ଘୋଷଣା କରିବାକୁ ପଡିବ। ତଥାପି, ଏହା ପରେ ମଧ୍ୟ, ବୋର୍ଡ ଆଇସିସି ଟେକ୍ନିକାଲ୍ କମିଟିର ଅନୁମୋଦନ ସହିତ ଏହାର ଦଳରେ ପରିବର୍ତ୍ତନ କରିପାରିବ। ଆଇସିସି ଟୁର୍ଣ୍ଣାମେଣ୍ଟ୍ ପାଇଁ ଦଳ ଗୁଡିକ ସର୍ବାଧିକ ୧୫ ଜଣ ଖେଳାଳିଙ୍କୁ ଚୟନ କରି ପାରିବେ।
ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଅଧିନାୟକ ରହିବାର ଯଥେଷ୍ଟ ସମ୍ଭାବାନ ରହିଛି। ଉପ-ଅଧିନାୟକ ଶୁଭମନ ଗିଲ୍ ଯଦି ଫିଟ୍ ହୁଅନ୍ତି ତେବେ ତାଙ୍କର ଖେଳିବା ନିଶ୍ଚିତ। ଟି-୨୦ରେ ନମ୍ବର-୧ ବ୍ୟାଟର ଅଭିଷେକ ଶର୍ମା ସହିତ ତିଲକ ବର୍ମାଙ୍କ ଦଳରେ ସ୍ଥାନ ପକ୍କା ରହିଛି । ସଞ୍ଜୁ ସାମସନ ଏବଂ ଜିତେଶ ଶର୍ମା ଦୁଇ ୱିକେଟକିପର ଭାବରେ ଦଳରେ ରହିବାର ସମ୍ଭାବନା ଅଛି।
ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଏବଂ ଶିବମ୍ ଦୁବେ ମଧ୍ୟ ଅଲରାଉଣ୍ଡର ଭାବରେ ଦଳରେ ରହିବା ନିଶ୍ଚିତ। ତୃତୀୟ ଦ୍ରୁତ ବୋଲର ଭାବେ ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଯଶପ୍ରୀତ ବୁମରାଙ୍କ ସହ ଦଳରେ ସ୍ଥାନ ପାଇ ପାରନ୍ତି । କାରଣ ସେ ପୂର୍ବ ମ୍ୟାଚ୍ଗୁଡ଼ିକରେ ଭଲ ବୋଲିଂ କରିଛନ୍ତି। ଭାରତୀୟ ପିଚ୍ରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି । ତେଣୁ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଦଳରେ ରହିବାର ସମ୍ଭାବନା ଅଛି।
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟ୍ କିପର), ଜିତେଶ ଶର୍ମା (ୱିକେଟ୍ କିପର), ଅକ୍ଷର ପଟେଲ, ଶିବମ୍ ଦୁବେ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ଅର୍ଶଦୀପ ସିଂ।