ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ ପାଇଁ ଆଜି ଅପରାହ୍ଣ ୨ଟା ୩୦ରୁ ଆବୁଧାବିର ଏତିହାଦ ଏରିନାରେ ମିନି ଅକ୍ସନ ହେବାକୁ ଯାଉଛି । ଏହି ନିଲାମରେ ସଭିଙ୍କ ନଜର ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନଙ୍କ ଉପରେ ରହିଛି । ଏହି ମିନି ଅକ୍ସନରେ ଅଲରାଉଣ୍ଡରଙ୍କ ଅଭାବ କାରଣରୁ ଗ୍ରୀନଙ୍କ ଉପରେ ବେଶ ଟଙ୍କା ବର୍ଷା ହୋଇପାରେ । କୋଲକତା ଓ ଚେନ୍ନାଇ ଜଣେ ଦମଦାର ଅଲରାଉଣ୍ଡରର ସନ୍ଧାନରେ ଅଛନ୍ତି । ଏହି ଦୁଇଟି ଦଳର ପର୍ସରେ ଅଧିକ ଅର୍ଥ ରହିଛି ।
କେତେ ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜ କିଣି ପାରିବେ ?
ଏହି ମିନି ନିଲାମରେ ସମସ୍ତ ୧୦ଟି ଦଳ ମୋଟ୍ ୭୭ ଖେଳାଳି କିଣି ପାରିବେ । ଏଥିରେ ସବୁ ଦଳକୁ ମିଶାଇ ମୋଟ୍ ୨୩୭ କୋଟି ୫୫ ଲକ୍ଷ ଟଙ୍କାର ରାଶି ଉପଲବ୍ଧ ରହିଛି । ହେଲେ ଏହି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସର ବିଶେଷ କିଛି ଭୂମିକା ନାହିଁ । କାରଣ ଦଳର ପର୍ସରେ ମାତ୍ର ୨ କୋଟି ୭୫ ଲକ୍ଷ ଟଙ୍କା ରହିଛି । ମୁମ୍ବାଇ କିଛି ଅନକ୍ୟାପଡ ଖେଳାଳିଙ୍କୁ ସେମାନଙ୍କର ବେସ ପ୍ରାଇସରେ କିଣିବା ପାଇଁ ଅକ୍ସନରେ ଭାଗ ନେବ ।
କେକେଆର ଓ ସିଏସକେ ପାଖରେ କେତେ ଅଛି ?
ଆଇପିଏଲ୍ ୨୦୨୬ ପାଇଁ ହେବାକୁ ଥିବା ଏହି ମିନି ନିଲାମରେ କୋଲକାତା ନାଇଟ ରାଇଡର୍ସ ପାଖରେ ଅଧିକ ଅର୍ଥ ରାଶି ରହିଛି । ଏହାର ପର୍ସରେ ୬୪ କୋଟି ୩୦ ଲକ୍ଷ ଟଙ୍କା ରହିଛି । କେକେଆରର ନଜର ଦଳକୁ ନୂଆ କରି ଗଢିବା ଉପରେ ରହିଛି । କାରଣ ଦଳକୁ ଏହି ନିଲାମରୁ ମୋଟ୍ ୧୩ ଖେଳାଳି କିଣିବାର ଅଛି । ଏହି ମିନି ଅକ୍ସନରେ ଡକରା ସମୟରେ କେକେଆର ଓ ସିଏସକେ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । କାରଣ ଚେନ୍ନାଇ ପାଖରେ ମଧ୍ୟ ୪୩ କୋଟି ୪୦ ଲକ୍ଷ ଟଙ୍କା ରହିଛି । ସୁପର କିଙ୍ଗ୍ସ ମିନି ଏହି ମିନି ଅକ୍ସନରେ ନିଜ ଦଳର ସନ୍ତୁଳନ ହିସାବରେ ଖେଳାଳି କିଣିବାକୁ ଚାହିଁବ ।
ମେଗା ନିଲାମ ଅପେକ୍ଷା ମିନି ନିଲାମ ସର୍ବଦା ଅଧିକ ଆକର୍ଷଣୀୟ ହୋଇଥାଏ କାରଣ ଫ୍ରାଞ୍ଚାଇଜିଗୁଡ଼ିକ ନିର୍ଦ୍ଦିଷ୍ଟ ପସନ୍ଦ ସହିତ ନିଲାମକୁ ଆସନ୍ତି ଏବଂ ସେମାନଙ୍କ ଦଳରେ ଭିନ୍ନ ଦକ୍ଷତା ଥିବା ଖେଳାଳିଙ୍କୁ ଯୋଡିବା ପାଇଁ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ ଥାଆନ୍ତି। ଆଇପିଏଲ ମିନି ନିଲାମରେ ଦ୍ରୁତ ବୋଲର ଯିଏ ଅଲରାଉଣ୍ଡର ସେମାନଙ୍କ ପାଇଁ ବଡ ଡକରା ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କ୍ୟାମେରୁନ ଗ୍ରୀନ, ଭେଙ୍କଟେଶ ଆୟର, ଜାସନ ହୋଲଡରଙ୍କ ଉପରେ ଅଧିକ ଟଙ୍କା ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି । Also read: ବହୁତ ହୋଇଗଲା, ଏବେ ଶୁଭମନ ଗିଲଙ୍କୁ ବାହାର କରିବାର ସମୟ ଆସି ଯାଇଛି, ପୂର୍ବତନ କ୍ରିକେଟରଙ୍କ ବଡ ବୟାନ