ଭୁବନେଶ୍ୱର: ଆଜିଠାରୁ ଆବୁଦାବିରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍-୨୦୨୬ ପାଇଁ ମିନି ଅକ୍ସନ୍ ବା ନିଲାମ ଆରମ୍ଭ ହେଉଛି । ଚଳିତ ଥର ଆଇପିଏଲ୍ ଅକ୍ସନରେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କ ନାଁ ସାମିଲ କରାଯାଇଛି । କ୍ରିକେଟର୍ ରାଜେଶ ମହାନ୍ତି ଏବଂ ସ୍ୱସ୍ତିକ ସାମଲଙ୍କ ନାଁ ଆଇପିଏଲ୍ ନିଲାମ ତାଲିକାରେ ରହିଛି ।
ରାଜେଶ ଏବଂ ସ୍ୱସ୍ତିକଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା । ରାଜେଶ ମହାନ୍ତି ଜଣେ ଦ୍ରୁତ ବୋଲ୍ ଅଟନ୍ତି । ବିଭିନ୍ନ ମ୍ୟାଚରେ ତାଙ୍କର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ସେ ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ୱେଣ୍ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚରେ ୧୨ ଟି ୱିକେଟ୍ ନେଇଥିଲେ । ସେହିପରି ଛତିଶଗଡ଼ ବିପକ୍ଷରେ ୪ ଓଭରରେ ମାତ୍ର ୨୧ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସର ନେଟ୍ ବୋଲର୍ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ସେହିପରି ୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ସ୍ୱସ୍ତିକ୍ ସାମଲ ଅନେକ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ।
ବିସିସିଆଇ ପକ୍ଷରୁ ପଞ୍ଜୀକୃତ ଖେଳାଳିଙ୍କ ନାଁ ମିନି ଅକ୍ସନ ତାଲିକାରେ ଯୋଡ଼ିଛି । ପ୍ରଥମେ ୩୫୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ଦ୍ଵିତୀୟ ପର୍ୟ୍ୟାୟରେ ଆଉ ୧୯ ଜଣଙ୍କୁ ସାମିଲ କରାଯାଇଛି। ନିଲାମ ତାଲିକାରେ ଅଛନ୍ତି ମୋଟ୍ ୩୬୯ ଜଣ ଖେଳାଳି। ଏଥିରେ ୨୪୬ ଜଣ ଭାରତୀୟ ଖେଳାଳି ରହିଛନ୍ତି ।
କ୍ରମାଗତ ତୃତୀୟ ଥର ପାଇଁ ଆଇପିଏଲ୍ ନିଲାମ ଦେଶ ବାହାରେ ଅନୁଷ୍ଠିତ ହେଉଛି । ୨୦୨୪ରେ ପ୍ରଥମ ଥର ପାଇଁ ଆଇପିଏଲ ନିଲାମ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୨୦୨୪ରେ ୨୦୨୫ ସିଜନର ମେଗା ନିଲାମ ଜେଡାଠାରେ ଅନୁଷ୍ଠିତ ହୋଇଥିଲା।