ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଚତୁର୍ଥ ଟି-୨୦ ଆସନ୍ତା ୧୭ରେ ଲକ୍ଷ୍ନୌରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟକା। ଶେଷ ଦୁଇଟି ମ୍ୟାଚରୁ ଅକ୍ଷର ପଟେଲ ବାଦ ପଡ଼ିଛନ୍ତି। ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ ପାଇଁ ପଟେଲ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ନ ଥିଲେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚ୍ ରୁ ବାଦ ପଡ଼ିଥିବା ସୂଚନା ମିଳିଛି।
ଅକ୍ଷର ପଟେଲଙ୍କୁ ବାଦ୍ ଦିଆଯାଇଛି
BCCI ନିଜର ବିବୃତ୍ତିରେ କହିଛି ଯେ ଅକ୍ଷର ପଟେଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଏବଂ ପଞ୍ଚମ ଟି-୨୦ରୁ ବାଦ୍ ଦିଆଯାଉଛି। ପଟେଲଙ୍କ ଅସୁସ୍ଥତା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଚତୁର୍ଥ ଏବଂ ପଞ୍ଚମ ଟି-୨୦ ପାଇଁ ଅକ୍ଷର ପଟେଲଙ୍କ ବଦଳ ଖେଳାଳି ଭାବେ ଶାହବାଜ ଅହମ୍ମଦଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଡିସେମ୍ବର ୧୭ ତାରିଖରେ ଲକ୍ଷ୍ନୌରେ ଖେଳାଯିବ। ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ତିନୋଟି ମ୍ୟାଚ୍ ପରେ, ଭାରତୀୟ ଦଳ ସିରିଜରେ ୨-୧ରେ ଆଗୁଆ ଅଛି।
ପୂର୍ବରୁ, ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣ ପାଇଁ ଘରକୁ ଫେରିଥିଲେ ଏବଂ ତେଣୁ ଧର୍ମଶାଳାରେ ତୃତୀୟ ମ୍ୟାଚ୍ ଖେଳି ନଥିଲେ। ଟିମ୍ ଇଣ୍ଡିଆ ପାଇଁ ଭଲ ଖବର ବୁମରାଙ୍କୁ ଶେଷ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।