କୋଲକାତା: ଫୁଟବଲ୍ ପ୍ରେମୀଙ୍କ ଥିବା ବିଶେଷ ମୁହୁର୍ତ୍ତ ରାଗ ଓ କ୍ରୋଧରେ ପରିଣତ ହୋଇଛି । ଦିଗ୍ଗଜ ଫୁଟବଲ୍ ଖେଳାଳୀ ଲିୟୋନେଲ୍ ମେସିଙ୍କ ଟିକିଏ ଝଲକ ନ ଦେଖି ପାରି ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କୋଲକାତା ସ୍ଥିତ ସଲ୍ଟ ଲେକ୍ ବିବେକାନନ୍ଦ ଯୁବଭାରତୀ ଷ୍ଟାଡିୟମ ରଣକ୍ଷେତ୍ର ପାଲଟିଛି । ପ୍ରଶଂସକମାନେ ଚେୟାର ଫିଙ୍ଗା ଫୋପାଡ଼ା କରିବା ସହିତ ମମତା ବାନାର୍ଜୀଙ୍କ ସରକାର ଉପରେ ବର୍ଷିଛନ୍ତି ।
ବିଶ୍ୱର ପ୍ରସିଦ୍ଧ ଫୁଟବଲ୍ ଖେଳାଳୀ ଲିୟୋନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ମେସି ଦୀର୍ଘ ସମୟ ଧରି ନିଜର ଷ୍ଟ୍ରାଇକ ପାର୍ଟନର ଲୁଇସ ସ୍ୱରାଜେ ଓ ଆର୍ଜେଣ୍ଟିନାର ସାଥୀ ଖେଳାଳି ରୋଡ୍ରିଗ ଡି ପଲଙ୍କ ସହିତ କୋଲକାତା ପହଞ୍ଚିଛନ୍ତି । ଆଜି ସଲ୍ଟ ଲେକ୍ ବିବେକାନନ୍ଦ ଯୁବଭାରତୀ ଷ୍ଟାଡିୟମରେ ବିଶେଷ ଆୟୋଜନ କରାଯାଇଥିଲା । ସାରା ଦେଶକରୁ ପ୍ରଶଂସକମାନେ ବହୁମୂଲ୍ୟରେ ଟିକେଟ୍ କିଣି ଦେଖିବାକୁ ଆସିଥିଲେ । ମାତ୍ର ଏଥିରେ ପ୍ରଶାସନିକ ଅବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ମେସୀ ମାତ୍ର ୧୦ ମିନିଟ୍ ଷ୍ଟାଡିୟମରେ ରହିବା ପରେ ଫେରିଯାଇଥିଲେ । ଫଳରେ ଚାତକ ପରି ଚାହିଁ ରହିଥିବା ଦର୍ଶକମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା । ଚେୟାର, ବୋତଲ୍ ଫିଙ୍ଗିବା ସହିତ ହୋର୍ଡିଂ ବ୍ୟାନର୍ ଚିରି ଥିଲେ ଏବଂ ମମତା ସରକାର ଉପରେ ବର୍ଷିଥିଲେ ।
ମେସି ନାଁ ଅଧିକ ସମୟ ରହିଥିଲେ ନାଁ ତାଙ୍କୁ ଟିକେ ଦେଖିବାକୁ ମିଳିଥିଲା । ଅନ୍ୟ ଅଧିକାରୀମାନେ ତାଙ୍କୁ ଘେରି ରହିଥିବାରୁ ତାଙ୍କୁ ଦେଖିବା ବି ସମ୍ଭବ ହୋଇ ନଥିଲା । ସେହିପରି କାର୍ଯ୍ୟକ୍ରମରେ ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖ ମଧ୍ୟ ଆସିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା । ଶାହାରୁଖ ମଧ୍ୟ ଆସିନଥିଲେ । ଫଳରେ ପ୍ରଶଂସକଙ୍କ ମଧ୍ୟରେ ଏକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଇଭେଣ୍ଟର ଟିକେଟ୍ ବହୁତ ମହଙ୍ଗା ଥିଲା। ଏହି ଇଭେଣ୍ଟର ଟିକେଟ୍ ୫,୦୦୦ ରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲା। କେତେକ ଏହାକୁ ୧୦,୦୦୦ ଟଙ୍କାରେ କିଣିଥିଲେ, କେତେକ ୧୨,୦୦୦ ଟଙ୍କାରେ, ଏବଂ କେତେକ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ବି କିଣିଥିଲେ । ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ପ୍ରଶଂସକମାନେ ମେସିଙ୍କ ଝଲକ ଦେଖିପାରି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇଥିଲେ।