ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ୍ ଏସିଆ କପ୍। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ଧମାକାଦାର ଇନିଂସ ଖେଳିଛନ୍ତି। ମ୍ୟାଚରେ ସେ ଚୌକା-ଛକା ବର୍ଷା କରିଛନ୍ତି। ତାଙ୍କର ବିଧ୍ଵଂସୀ ୧୭୧ ରନ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪୩୩ ରର ବିଶାଳ ସ୍କୋର କରିଛି। ଭାରତ ପାଇଁ ସୂର୍ଯ୍ୟବଂଶୀଙ୍କ ବ୍ୟତୀତ, ବିହାନ ମାଲହୋତ୍ରା ଏବଂ ଆରନ୍ ଜର୍ଜ ଅର୍ଦ୍ଧଶତକ ହାସଲ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଆରମ୍ଭ ଖରାପ ଥିଲା। ଆୟୁଷ ମହାତ୍ରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ବୈଭବ ସୂର୍ଯ୍ୟବଂଶୀ ଏବଂ ଆରନ୍ ଜର୍ଜଙ୍କ ମଧ୍ୟରେ ୨୧୨ ରନର ଭାଗୀଦାରି ହୋଇଥିଲା। ଜର୍ଜ ୬୯ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ବୈଭବ ସୂର୍ଯ୍ୟବଂଶୀ ବିପକ୍ଷ ୟୁଏଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ।
୨୦ ଛକା ଏବଂ ୩୧ ଚୌକା
ଭାରତ ୪୩୩ ରନ ଇନିଂସରେ ମୋଟ ୨୦ ଛକା ଏବଂ ୩୧ ଚୌକା ସାମିଲ୍। ୨୦ ଛକା ମଧ୍ୟରୁ ଏକାକୀ ୧୪ ଛକା ବୈଭବ ସୂର୍ଯ୍ୟବଂଶୀ ମାରିଛନ୍ତି। ସେ ୯୫ ବଲରୁ ୯ ଚୌକା ଓ ୧୪ ଛକା ଜରିଆରେ ୧୭୧ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ବିହାନ ମାଲହୋତ୍ରା ମଧ୍ୟ ୬୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ବେଦାନ୍ତ ତ୍ରିବେଦୀ ୩୮ ରନ କରିଥିଲେ ଏବଂ ଅଭିଜ୍ଞାନ କୁଣ୍ଡୁ ଟିମ୍ ଇଣ୍ଡିଆର ସ୍କୋରକୁ ୪୦୦ ପାର କରାଇଥିଲେ।କୁଣ୍ଡୁ ୧୭ ବଲରେ ଅପରାଜିତ ୩୨ ରନ କରିଛନ୍ତି। ଅଭିଜ୍ଞାନ କୁଣ୍ଡୁଙ୍କ ବ୍ୟତୀତ କନିଷ୍କ ଚୌହାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୨ ବଲରେ ୨୮ ରନ କରିଛନ୍ତି।
ଅଣ୍ଡର-୧୯ ଦିନିକିଆ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର
ଭାରତ ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର କରିଛି। ୧୯ ବର୍ଷରୁ କମ୍ ଦିନିକିଆ ମ୍ୟାଚ୍ରେ ଭାରତର ପୂର୍ବରୁ ସର୍ବାଧିକ ସ୍କୋର ୪୨୫ ଥିଲା। ୨୦୦୪ରେ ସ୍କଟଲାଣ୍ଡ ବିପକ୍ଷରେ ଦଳ ଏହି ରନ କରିଥିଲା। ଆଜିର ମ୍ୟାଚରେ ଭାଉରତ ୪୩୩ ରନ କରିଛି। ୧୯ ବର୍ଷରୁ କମ୍ ସ୍ତରରେ ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର ୪୮୦, ଯାହା ଅଷ୍ଟ୍ରେଲିଆ ୨୦୦୨ରେ କେନିଆ ବିପକ୍ଷରେ କରିଥିଲା। ଦ୍ୱିତୀୟ ସର୍ବାଧିକ ସ୍କୋର ନ୍ୟୁଜିଲାଣ୍ଡ ନାଁରେ ଅଛି। କିଓ୍ଵି ଦଳ ୨୦୧୮ରେ କେନିଆ ବିପକ୍ଷରେ ୪୩୬ ରନ୍ କରିଥିଲା।