ଧର୍ମଶାଳା: ଭାରତ ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ଦକ୍ଷିଣ ଆଫ୍ରିକା ୧୧୭ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୧୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। ଏହା ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି।
୧୧୮ ରନର ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆକୁ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ ଭଲ ଆରମ୍ଭ ଦେଇଥିଲେ। ଗିଲ୍ ଏବଂ ଅଭିଷେକ ମିଶି ୫ ଓଭରରେ ଭାରତକୁ ୬୦ ରନ ଯୋଡ଼ିଥିଲେ। ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ଅଭିଷେକ ଆଡମ ମାର୍କରାମଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୧୮ ବଲରେ ୩ ଚୌକା ଓ ୩ ଛକା ସହ ୩୫ ରନ କରିଥିଲେ।
ଅଭିଷେକ ଶର୍ମା ଆଉଟ୍ ହେବା ପରେ ଭାରତ ୫.୨ ଓଭରରେ ୬୦ ରନରେ ପହଞ୍ଚିଥିଲା। ଏହା ପରେ ଭାରତର ରନ ଗତି ମନ୍ଥର ହୋଇ ଯାଇଥିଲା।ଭାରତୀୟ ବ୍ୟାଟର ପରବର୍ତ୍ତୀ ୪୦ ରନ ସ୍କୋର କରିବା ପାଇଁ ୫୩ ଟି ବଲ ଖେଳିଥିଲା। ଟି-୨୦ ଉପ-ଅଧିନାୟକ ଶୁଭମନ ଗିଲ୍ ମ୍ୟାଚରେ ୨୮ ରନ କରିଥିଲେ, କିନ୍ତୁ ସେ ଏଥିପାଇଁ ୨୮ ଟି ବଲ ମଧ୍ୟ ଖେଳିଥିଲେ। ୧୮ ଇନିଂସ ପରେ ମଧ୍ୟ ଶୁଭମନ ଗିଲ ଟି-୨୦ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ସେହିପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ୧୨ ରନ କରି ପୁଣି ବିଫଳ ହୋଇଥିଲେ।
ଭାରତୀୟ ବୋଲରମାନେ ବିପର୍ଯ୍ୟୟ ଘଟାଇଥିଲେ
ଧର୍ମଶାଳାରେ, ଭାରତୀୟ ବୋଲରମାନେ ବିପର୍ଯ୍ୟୟ ଘଟାଇ ଦକ୍ଷିଣ ଆଫ୍ରିକା ଦଳକୁ ୧୧୭ ରନରେ ଅଲଆଉଟ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଆଡନ ମାର୍କରାମ ୬୧ ରନର ଇନିଂସ ଖେଳିଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ ପ୍ରତ୍ୟେକେ ଦୁଇଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଏହି ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଟି-୨୦ କ୍ୟାରିୟରରେ ବୋଲର ଭାବରେ ୧୦୦ ୱିକେଟ୍ ପୂରଣ କରିଛନ୍ତି।
Also read: ଆଇସିସିର ଅନୁରୋଧକୁ ମାନିଲା ନାହିଁ ବିସିସିଆଇ, ଭାରତ-ପାକିସ୍ତାନ ମ୍ୟାଚରେ ନୋ ହ୍ୟାଣ୍ଡସେକ ପଲିସି ଜାରି