ମୁମ୍ବାଇ: କ୍ରୀଡ଼ା ଜଗତର ଇତିହାସରେ ଦେଖିବାକୁ ମିଳିଛି ଏକ ବିରଳ ମୁହୂର୍ତ୍ତ। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଭେଟଘାଟ ହୋଇଛି। ମେସି ତାଙ୍କ ଭାରତ ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ମୁମ୍ବାଇରେ ପହଞ୍ଚିଥିଲେ। ୱାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର ଏବଂ ଲିଓନେଲ ମେସି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସାକ୍ଷାତ କରିଛନ୍ତି । ଏହା କ୍ରିକେଟ ଏବଂ ଫୁଟବଲ୍ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ।
ସଚିନ ତେନ୍ଦୁଲକର ମେସିଙ୍କୁ ଏକ ଜର୍ସି ଉପହାର ଦେଲେ
ଏହି ସାକ୍ଷାତ ସମୟରେ ସଚିନ ତେନ୍ଦୁଲକର ଲିଓନେଲ ମେସିଙ୍କୁ ଦିନିକିଆ ବିଶ୍ଵକପ୍ ୨୦୧୧ର ଟିମ୍ ଇଣ୍ଡିଆ ଜର୍ସି ଉପହାର ଦେଇଛନ୍ତି। ଏଥିରେ ସଚିନଙ୍କ ହସ୍ତାକ୍ଷର ରହିଛି। ମେସି ଏବଂ ସଚିନ ଏକାଠି ଫଟୋ ମଧ୍ୟ ଉଠାଇନ୍ତି। ମେସି ମଧ୍ୟ ସଚିନ ତେନ୍ଦୁଲକରଙ୍କୁ ଏକ ଫୁଟବଲ୍ ଉପହାର ଦେଇଛନ୍ତି। ଏହା ପୂର୍ବରୁ, ଲିଓନେଲ ମେସି ଭାରତର ଷ୍ଟାର ଫୁଟବଲ୍ ଖେଳାଳି ସୁନୀଲ ଛେତ୍ରୀଙ୍କୁ ଭେଟିଥିଲେ।
ଉଭୟଙ୍କ ସାକ୍ଷାତ ଦେଖିବା ପାଇଁ ୱାଙ୍ଖଡେ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲିଓନେଲ ମେସି ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ସାକ୍ଷାତ ସମୟର ମୁହୂର୍ତ୍ତ ରେ ଯେକୌଣସି କ୍ରୀଡାପ୍ରେମୀଙ୍କ ପାଇଁ ଏହା ଏକ ସ୍ଵପ୍ନର ମୁହୂର୍ତ୍ତ ଥିଲା। ଏହି ସମୟରେ ଷ୍ଟାଡିୟମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣଭିସ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମେସିଙ୍କ ଭାରତ ଗସ୍ତ ଶନିବାର କୋଲକାତାରୁ ଆରମ୍ଭ ହୋଇଥିଲା। ଆନନ୍ଦର ସହର ଭାବରେ ପରିଚିତ କୋଲକାତାରେ ମେସି ନିଜର ପ୍ରତିମୂର୍ତ୍ତିଉ ଅନାବରଣ କରିଥିଲେ। କିନ୍ତୁ ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କୁ ଦେଖି ନ ପାରିବାରୁ ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣା ପରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେସି ଓ ଫୁଟବଲ ପ୍ରେମୀଙ୍କୁ କ୍ଷମା ମାଗିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ହାଇଦ୍ରାବାଦରେ ମେସିଙ୍କ କାର୍ଯ୍ୟକ୍ରମ ଭବ୍ୟ ରହିଥିଲା। ଏବେ ନିଜ ଗସ୍ତର ତୃତୀୟ ଦିନରେ ମେସି ଦିଲ୍ଲୀରେ ପହଞ୍ଚିବେ।
Also read: ଧର୍ମଶାଳା ଟି-୨୦: ଭାରତକୁ ଜିତାଇଲେ ବୋଲର, ସିରିଜ୍ ୨-୧ରେ ଆଗୁଆ