ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଶୁଭମନ ଗିଲ୍ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ତାଙ୍କ ଯୋଗୁଁ ସଞ୍ଜୁ ସାମସନଙ୍କୁ ବାହାରେ ବସିବାକୁ ପଡୁଛି । ଚତୁର୍ଥ ମ୍ୟାଚ୍ ପୂର୍ବରୁ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଗୌତମ ଗମ୍ଭୀର ଓ ଟିମ୍ ମ୍ୟାନେଜମେଣ୍ଟଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସମୟ ଆସିଗଲା ବାକି ଦୁଇଟି ମ୍ୟାଚରେ ଗିଲଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଉ । ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଟି-୨୦ରେ ୪, ୦ ଓ ୨୮ ରନ କରିଛନ୍ତି ।
ମହମ୍ମଦ କୈଫ କହିଛନ୍ତି, ଯଦି ଆପଣ ସବୁ କିଛି ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି ତେବେ ଶୁଭମନ ଗିଲଙ୍କ ପାଇଁ ଡ୍ରପ ଶବ୍ଦର ବ୍ୟବହାର କର ନାହିଁ । କେବଳ ଏତିକି କୁହନ୍ତୁ ଯେ, ଗିଲଙ୍କ ୁ ଆମେ କିଛି ସମୟ ବ୍ରେକ ଦେଉଛୁ କିମ୍ବା ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଉଛୁ । ବାକି ଦୁଇଟି ମ୍ୟାଚରେ ଗିଲଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଉ ।
ଗିଲଙ୍କ ସ୍ଥାନରେ ଯିଏ ଡିଜର୍ଭ କରୁଛି, ସେହି ଖେଳାଳିଙ୍କୁ ଚତୁର୍ଥ ଓ ପଞ୍ଚମ ଟି-୨୦ରେ ସୁଯୋଗ ଦିଆଯାଉ । ଉକ୍ତ ଖେଳାଳିଙ୍କ ଖେଳିବାର ଅଧିକାର ରହିଛି । ବେଞ୍ଚରେ ବସିଥିବା ଖେଳାଳି ଚିନ୍ତା କରୁଥିବେ ଯେ, ଗିଲ ତ ଗୋଟିଏ ବର୍ଷ ହେଲା କ୍ରମାଗତ ଖରାପ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ମୁଁ ୨-୩ ଖରାପ ଇନିଂସ ଖେଳିବାରୁ ମୋତେ ବାଦ୍ ଦେଇ ଦେଲେ । ଆଉ ସେହି ଖେଳାଳି ହେଉଛନ୍ତି ସଞ୍ଜୁ ସାମସନ ବୋଲି କୈଫ କହିଛନ୍ତି ।
କୈଫ କହିଛନ୍ତି, ଗୋଟିଏ କିମ୍ବା ଦୁଇଟି ଖେଳାଳି ଏକ୍ସ ଫ୍ୟାକ୍ଟର ହୋଇଥାନ୍ତି । ଯେଉଁମାନଙ୍କୁ ସ୍ୱତନ୍ତ୍ର ଭାବେ ସୁଯୋଗ ମିଳିବା ଉଚିତ୍ । ମାତ୍ର ଶୁଭମନ ଗିଲ କ୍ରମାଗତ ଫ୍ଲପ ହେବା ପରେ ବି ତାଙ୍କୁ ବାରମ୍ବାର ସୁଯୋଗ ଦିଆଯାଉଛି । ଗତ କିଛି ସମୟ ହେବ ଏହି ବିଷୟରେ ବିତର୍କ ଚାଲିଛି । କିନ୍ତୁ ଏବେ ନିଷ୍ପତ୍ତି ନେବାର ସମୟ ବୋଲି ଏହି ପୂର୍ବତନ କ୍ରିକେଟର କହିଛନ୍ତି ।
Also read: ଚତୁର୍ଥ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଅଲରାଉଣ୍ଡର