ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ସିରିଜ ଡ୍ର ରଖିବାକୁ ଅଣ୍ଟା ଭିଡିଛି ଭ୍ରମଣକାରୀ ଦଳ । ତେବେ ଏହି ମୁକାବିଲାରେ ଭାରତର ବିଜୟ ଏବଂ ପରାଜୟଠୁ ଅଧିକ ବଡ ପ୍ରଶ୍ନ ହେଉଛି ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ । ଉକ୍ତ ମୁକାବିଲାରେ ସୂର୍ଯର୍ର୍୍ୟଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ ।
ଟେଷ୍ଟ ସିରିଜ ୦-୨ରେ ହାରିବା ପରେ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଥିଲା । ଏବେ ଟି-୨୦ ସିରିଜରେ ଦଳ ୨-୧ରେ ଆଗୁଆ ରହିଛି । ବୁଧବାର ଲଖନଉରେ ଘନ କୁହୁଡି କାରଣରୁ ଚତୁର୍ଥ ମ୍ୟାଚ୍ ବାତିଲ୍ ହେଇଛି । ଏହା ସହ ନିଶ୍ଚିତ ହୋଇ ଯାଇଛି ଯେ, ଭାରତ ସିରିଜ୍ ହାରିବ ନାହିଁ । ଏହା ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଆଶ୍ୱସ୍ତିକର ବିଷୟ । କିନ୍ତୁ ଦଳର ଦୁଇ ପ୍ରମୁଖ ଖେଳାଳି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପ ଅଧିନାୟକ ଶୁଭମନ ଗିଲ ଗତ କିଛି ମାସ ଧରି ଫର୍ମ ସହ ସଂଘର୍ଷ କରୁଛନ୍ତି ।
କିଛି ସମୟ ପୂର୍ବରୁ ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ରହିଥିବା ସୂର୍ଯ୍ୟକୁମାରଙ୍କ ଫର୍ମ ବର୍ତ୍ତମାନ ଭାରତ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି । ସେ ଚଳିତ ବର୍ଷ ୧୮ଟି ଇନିଂସରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ଏହି ସମୟରେ ସେ ୧୪.୨୦ ହାରରେ ମାତ୍ର ୨୧୩ ରନ କରିଛନ୍ତି । ତେଣୁ ଡିସେମ୍ବର ୧୯ର ମୁକାବିଲା ଭାରତ ଦଳ ଅପେକ୍ଷା ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କର ଚୟନ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଲାଣି । ଦଳର ଅଧିନାୟକ ହୋଇଥିବାରୁ ସେ ଖେଳୁଥିବା କୁହାଯାଉଛି । ତେଣୁ ସିରିଜର ଶ ଶେଷ ଟି-୨୦ରେ ସୂର୍ଯ୍ୟ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ।
Also read: ଗୋଟିଏ ବଲ୍ ବି ପଡ଼ିଲାନି, ସବୁ ବିଗାଡ଼ି ଦେଲା କୁହୁଡ଼ି, ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ୍