ନୂଆଦିଲ୍ଲୀ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଲଖନଉର ଇକାନା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି । ସିରିଜରେ ବର୍ତ୍ତମାନ ଭାରତ ୨-୧ରେ ଆଗୁଆ ରହିଛି । ଯଦି ଦଳ ଏହି ମ୍ୟାଚ୍ ଜିତିଯାଏ ତେବେ ସିରିଜ୍ କବଜା କରିବା ସହିତ ନୂଆ ଇତିହାସ ରଚିବ । କାରଣ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ କେବେ ହାରି ନାହିଁ । ଯଦି ଆଜିର ମ୍ୟାଚ୍ ଭାରତ ହାରେ ତେବେ ଦଳକୁ ପୁଣି ଡିସେମ୍ବର ୧୯ ତାରିଖକୁ ଅପେକ୍ଷା କରିବାକୁ ପଡିବ ।
ଉଲ୍ଲେଖନୀୟ ଦକ୍ଷିଣ ଆଫ୍ରିକା ନିଜର ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଏ ପର୍ଯ୍ୟନ୍ତ ଦୁଇ ଥର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଛି । ଏଥିରୁ ଦଳ ଗୋଟିଏ ଜିତିଥିବା ବେଳେ ଆଉ ଗୋଟିଏ ସିରିଜ୍ ୨-୨ରେ ଡ୍ର ରହିଥିଲା । ମାତ୍ର ପ୍ରଥମ ଥର ଦକ୍ଷିଣ ଆଫ୍ରିକା ଉପରେ ସିରିଜ୍ ହାରିବାର ବିପଦ ଘନେଇଛି । ଇଣ୍ଡିଜ ବିପକ୍ଷରେ ଦଳ ୩-୨ରେ ସିରିଜ୍ ଜିତିଥିଲା ଏବଂ ପୂର୍ବରୁ ଭାରତ ସହିତ ସିରିଜ୍ ୨-୨ରେ ବରାବର କରିଥିଲା । କିନ୍ତୁ ଏବେ ଲଖନଉ କିମ୍ବା ଅହମ୍ମଦାବାଦରେ ଗୋଟିଏ ପରାଜୟ ଦକ୍ଷିଣ ଆଫ୍ରିକାର ରେକର୍ଡ ଖରାପ କରିବ ।
ଯଦି ଭାରତ ଚତୁର୍ଥ ଟି-୨୦ କିମ୍ବା ପଞ୍ଚମ ଟି-୨୦ ଜିତିଯାଏ ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ଦ୍ୱିତୀୟ ଟି-୨୦ ସିରିଜ୍ ବିଜୟ ହେବ । ଏହା ପୂର୍ବରୁ ଭାରତ ୨୦୨୨-୨୩ରେ ଗୋଟିଏ ଟି-୨୦ ସିରିଜ୍ ଭ୍ରମଣକାରୀ ଦଳ ବିପକ୍ଷରେ ଜିତିଥିଲା । ନଚେତ୍ ଏହା ପୂର୍ବରୁ ଦଳ ଗୋଟିଏ ବି ଟି-୨୦ ସିରିଜ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତି ନ ଥିଲା । ଏବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ନୂଆ ଇତିହାସ ରଚିବାର ସୁଯୋଗ ରହିଛି ।
Also read: ବହୁତ ହୋଇଗଲା, ଏବେ ଶୁଭମନ ଗିଲଙ୍କୁ ବାହାର କରିବାର ସମୟ ଆସି ଯାଇଛି, ପୂର୍ବତନ କ୍ରିକେଟରଙ୍କ ବଡ ବୟାନ