ଭୁବନେଶ୍ବର : ୟୁଥ ଫର ସେବା ସାମାଜିକ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଙ୍କୁର ଶିଶୁ ମହୋତ୍ସବ ଆୟୋଜିତ ହୋଇଯାଇଛି । ୟୁନିଟ-୨ ସ୍ଥିତ କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଖୁବ ଆଡ଼ମ୍ବରରେ ଏ ମହୋତ୍ସବର ଆୟୋଜନ ହୋଇଥିଲା । ଦିବସବ୍ୟାପି ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଓ ଉପକଣ୍ଠ ଅଞ୍ଚଳର ମୋଟ ୧୫ଟି ବିଦ୍ୟାଳୟ ଓ ୨ଟି ଚାଟଶାଳୀର ୫୦୦ ଶିଶୁ ଅଙ୍କୁରରେ ସାମିଲ ହେବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଏହି ଶିଶୁ ମହୋତ୍ସବରେ ବିଜ୍ଞାନ ମେଳା, କୁଇଜ, ଚିତ୍ରାଙ୍କନ, ସମୂହ ନୃତ୍ୟ, ଯୋଗ, ରଙ୍ଗୋଲି, ଗଳ୍ପ କଥନ, ଅଖା ଦୌଡ଼, ଲେମ୍ବୁ ଚାମଚ ଆଦି ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଏହି ସବୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶିଶୁ ପ୍ରତିଭାକୁ ଉନ୍ମେଷଣ କରିଥିଲେ । ଛୋଟ ଛୋଟ ପିଲା ମାନେ ଅତି ସୁନ୍ଦର ଭାବରେ ଚଟାଣରେ ରଙ୍ଗୋଲି ପକେଇଥିଲେ ଯାହା ଦେଖଣାହାରୀଙ୍କୁ ଖୁବ ଆକୃଷ୍ଟ କରିଥିଲା । ସେହିଭଳି ପିଲା ମାନଙ୍କ ଦ୍ବାରା ପରିବେଷିତ ନୃତ୍ୟ ମଧ୍ୟ ଖୁବ ମନୋଲୋଭା ଥିଲା । ଅତି ସୁନ୍ଦର ଭାବରେ ଅଙ୍ଗଭଙ୍ଗୀ ସହିତ ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକ ଓ ଅଭିଭାବକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିବା ସେମାନେ ମତବ୍ୟକ୍ତ କରିଛନ୍ତି ।
ଶିଶୁ ମହୋତ୍ସବ 'ଅଙ୍କୁର'ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଏସଏନଏମ ଗ୍ରୁପର ଅଧ୍ୟକ୍ଷ ତଥା ୟୁଥ ଫର ସେବାର ଆଡ଼ଭାଇଜର ବୋର୍ଡ ମେମ୍ବର ଡ଼ା ପ୍ରଦୀପ୍ତ ମହାନ୍ତି ଯୋଗ ଦେଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବରେ ୟୁଥ ଫର ସେବାର ଟ୍ରଷ୍ଟି ସ୍ବୟଂ ପ୍ରକାଶ ବରାଳ ଓ ୟୁଥ ଫର ସେବା ଭୁବନେଶ୍ବର ଚାପ୍ଟର ପ୍ରେସିଡେଣ୍ଟ ଡ଼ା ପ୍ରଭାସ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ୟୁଥ ଫର ସେବାର ଟ୍ରଷ୍ଟି ସ୍ୱୟଂ ପ୍ରକାଶ ବରାଳ ଓ ୟୁଥ ଫର ସେବା ଭୁବନେଶ୍ବର ଚାପ୍ଟର ପ୍ରେସିଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ପ୍ରତିଭାର ପ୍ରଶଂସା କରିଥିଲେ ।
ଶିଶୁ ମହୋତ୍ସବ 'ଅଙ୍କୁର' କୁ ସଫଳ କରିବା ପାଇଁ ପ୍ରାୟ ୧୫୦ ଜଣ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଶିଶୁ ମହୋତ୍ସବ ଶେଷ ହୋଇଥିବାବେଳେ କୁନି ପ୍ରତିଭାଙ୍କ ସହିତ ମଜା, ମଉଜ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ସଂଗଠନର କାର୍ଯ୍ୟକର୍ତ୍ତା ମତ ଦେଇଛନ୍ତି।