କେନ୍ଦ୍ରାପଡ଼ା: ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ଚଳଚ୍ଚିତ୍ର ପ୍ରଯୋଜକ, ବିଶିଷ୍ଟ ବ୍ୟବସାୟ ଓ ସମାଜସେବୀ ରବୀନ୍ଦ୍ର ମୋହନ ସାହୁ (୮୨)ଙ୍କ ପରଲୋକ ହୋଇଛି । ବୁଧବାର ୭ ଟା ୫୪ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି ।
ରବିନ୍ଦ୍ର ମୋହନ ସାହୁ ଏଇ ତ ଦୁନିଆଁ (୧୯୮୭) ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜନା ଦାୟିତ୍ୱ ସମ୍ଭାଳି ଥିଲେ । ଶ୍ରୀବଳଦେବଜୀଉ ପ୍ରଡ଼କସନ୍ ବ୍ୟାନରେ ମୁକ୍ତିଲାଭ କରିଥିଲା । ଏହା ପରେ ପରେ ଅନେକ ହିଟ୍ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବସ୍ତ୍ରହରଣ, ବୋହୂ ହେବ ଏମିତି, ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ୱରୀ, ଶାଶୁ ହାତକଡ଼ି ଭାଉଜ ବେଡ଼ି, କୁଳନନ୍ଦନ, ରସିକନାଗର ଓ ଆଲୋ ମୋର କଣ୍ଡେଇ ଭଳି ଚଳଚ୍ଚିତ୍ର ପ୍ରଯୋଜକ ଥିଲେ ।
ସିନେମା ସହିତ ରାଜନୀତିରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ କେନ୍ଦ୍ରାପଡ଼ା କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲ । ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ ।
ରବିନ୍ଦ୍ରଙ୍କ ନିଧନରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ କଳାକାର, ସାଂସ୍କୃତିକ ସଂଗଠନ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି କ୍ଷ ରବିନ୍ଦ୍ରଙ୍କ ପରିବାରେ ପତ୍ନୀ, ପାଞ୍ଚ ପୁଅ ଏବଂ ଝିଅ ଅଛନ୍ତି ।