ଭୁବନେଶ୍ୱର: ଭୁବନେଶ୍ୱର ପ୍ରତିଷ୍ଠିତ କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ବା କିସ୍ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନ ମୋଡ଼ ନେଇଛି । କିସ୍ କର୍ତ୍ତୃପକ୍ଷଙ୍କ ଅସଲ ଚେହେରା ପଦାକୁ ଆସିଛି । ଏହି ଛାତ୍ର ମୃତ୍ୟୁ ଆକସ୍ମିକ ନୁହେଁ ହତ୍ୟା ଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଜାଣିଶୁଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିବା ସ୍ପଷ୍ଟ ହୋଇଛି ।
କିସ୍ ଛାତ୍ର ମୃତ୍ୟୁ ଘଟଣାରେ ଇନଫୋସିଟି ଥାନା ପୋଲିସ ୩ ଜଣ ସହପାଠୀଙ୍କୁ ଅଟକ ରଖିଛନ୍ତି । ଡାଲି ଢାଳି ହୋଇଯିବାରୁ ହଷ୍ଟେଲ୍ ପାଇଖାନା ଭିତରେ ଛାତ୍ରଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ଇନଫୋସିଟି ଥାନା ପୋଲିସ ବିନା ଏତଲାରେ ତଦନ୍ତ କରି ତିନି ଛାତ୍ରଙ୍କୁ ନିଜ ହେପାଜତକୁ ନେଇଛି । ସମସ୍ତ ଛାତ୍ର ନାବାଳକ ହୋଇଥିବାରୁ ସୁଧାର ଗୃହରେ ରଖାଯାଇଛି ।
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଝୁରାର ଟିକରଗୁମୁରା ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା (୧୪) କିସ୍ ବିଦ୍ୟାଳୟରେ ପଢ଼ୁଥିଲେ । ଗତ ୧୧ ତାରିଖ ରାତିରେ ଶିବଙ୍କର ମୃତ୍ୟୁ ହୋଇଥିଲା । ଝାଡ଼ା ବାନ୍ତି ହେଉଥିଲା, ପାଇଖାନାକୁ ଯାଇଥିବାବେଳେ ପଡ଼ି ଯାଇଥିଲା । ତାକୁ ତୁରନ୍ତ କିମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପାଇଖାନାରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ କୁହାଯାଇଥିଲା । ବିନା ଶବ ବ୍ୟବଚ୍ଛେଦ ଏବଂ ବିନା ଏତଲାରେ ତରବରିଆଭାବେ ଛାତ୍ରର ମୃତ ଦେହଙ୍କୁ ବାପାଙ୍କୁ ଦେଇ କେନ୍ଦୁଝର ପଠାଇ ଦେଇଥିଲେ । ବେକରେ କିଛି ଦାଗ ଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କେନ୍ଦୁଝର ଟାଉନ ଥାନା ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଦ୍ୟାଳୟ କର୍ତ୍ତୃପକ୍ଷ ଏତେବଡ଼ ଘଟଣାକୁ କାହିଁକି ଚାପି ଦେବାକୁ ଚାହୁଁଥିଲେ । ଏମିତିକି ସ୍ଥାନୀୟ ଇନଫୋସିଟି ପୋଲିସକୁ ବି କିଛି ଜଣାଇନଥିଲେ । ପରିବାର ଲୋକଙ୍କ ଧାରଣା ପରେ ଇନଫୋସିଟି ପୋଲିସ ତତ୍ପରତା ଦେଖାଇ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଥିଲା ।