ରାୟଗଡା: ଟୋକେନ ପ୍ରଦାନରେ ଅବ୍ୟବସ୍ଥାକୁ ନେଇ ଧାନ ମଣ୍ଡି ଉଦଘାଟନକୁ ବିରୋଧ କରିଛନ୍ତି ଚାଷୀ। ଆଜି(ବୁଧବାର) ରାୟଗଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଉଦଘାଟନ ହେବାକୁ ଥିବା ମଣ୍ଡିକୁ ଉଦଘାଟନ କରିବାକୁ ଆସିଥିବା ଅଧିକାରୀଙ୍କୁ ଚାଷୀମାନେ ତୀବ୍ର ବିରୋଧ କରିଥିଲେ। ମଣ୍ଡି ଉଦଘାଟନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଆର ଏମ ସି ସମ୍ପାଦକ କସ୍ତୁରୀ ରାଜୁ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଡି ଆର ସି ଏସ ଆସିଥିଲେI ହେଲେ ଚାଷୀମାନେ ସେମାନଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଉଦଘାଟନ ବନ୍ଦ କରିବାକୁ ଦାବି କରିଥିଲେ।
ଚଳିତ ବର୍ଷ ଜଳସେଚିତ ଜମିରେ ୧୯ କୁଇଣ୍ଟାଲ ଧାନ ପାଇଁ ଟୋକେନ ଆସୁଛି ଓ ଅଣ ଜଳସେଚିତ ଜମିରେ ୧୩ କୁଇଣ୍ଟାଲ ଧାନ ନେବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି। କିନ୍ତୁ ଜଳସେଚିତ ଜମିରେ ୨୫/୩୦ କୁଇଣ୍ଟାଲ ଧାନ ପାଚୁଛି ଓ ଅଣ ଜଳସେଚିତ ଜମିରେ ୨୦/୨୨ କୁଇଣ୍ଟାଲ ଧାନ ପାଚୁଛି I ବଳକା ଧାନକୁ ଚାଷୀ କଣ କରିବେ ବୋଲି ରାୟଗଡାର ଜଣେ ଚାଷୀ ପ୍ରଶ୍ନ କରିଛନ୍ତି ? ତେବେ ଚାଷୀଙ୍କ ବିରୋଧ ଫଳରେ ଉଦଘାଟନ କରିବାକୁ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ସେଠାରୁ ଫେରି ଯାଇଥିଲେ I ପରେ ରାୟଗଡା ଉପଜିଲ୍ଲାପାଳ ରମେଶ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଜିଲ୍ଲାସ୍ତରୀୟ ମଣ୍ଡି ଉଦଘାଟନ କରାଯାଇଛି।
ଅଧିକ ପଢନ୍ତୁ: ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ଆଜି ୧୨ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା